ସୋନପୁର ଗ୍ରାମରେ ଓଡିଶା ଓ ଛତିଶଗଡ ବନ ବିଭାଗର ମିଳିତ ଚଢାଉ

* ୪ ପିକପ ଶାଗୁଆନ ଗଣ୍ଡି ଓ କାଠ ନିର୍ମିତ ଆସବାବ ଜିନିଷ ଜବତ 

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର (ଡିଏନକେ) ଗ୍ରାମରେ ବାରମ୍ବାର ବେଆଇନ କାଠ କାମ ଚାଲିଥିବା ଅଭିଯୋଗ ହେବା ଫଳରେ ଆଜି ଓଡିଶା  ଓ ଛତିଶଗଡ ବନ ବିଭାଗର ମିଳିତ ଚଢାଉ ହୋଇଥିଲା | ଏହି ଚଢାଉରେ ଉକ୍ତ ଗ୍ରାମର ୧୩ ଗୋଟି ଘରରୁ ପ୍ରାୟ ୪ ପିକପ ଶାଗୁଆନ କାଠର ଅର୍ଦ୍ଧ ନିର୍ମିତ ଆସବାବ ଜିନିଷ ସହିତ କାଠ ଗଣ୍ଡି ଓ ପଟ୍ଟା ଜବତ ହୋଇଥିଲା | ତେବେ ଏହିି ଚଢାଉରେ କାହାରିକୁ ଗିରଫ କରାଯାଇ ନଥିବା ବନ ବିଭାଗ ପ୍ରକାଶ କରିଛି l  ସୂଚନା ଅନୁଯାଇ ସୋନପୁର ଡିଏନକେ ଗ୍ରାମରେ ଛତିଶଗଡ଼ ଅଂଚଳରୁ କାଠ ଚାଲାଣ ହେଉଥିବା ଯୋଗୁଁ ସେଠାକାର ବନ ବିଭାଗର ଆବେଦନ ପରେ ଓଡିଶା ବନ ବିଭାଗ ସକ୍ରିୟ ହୋଇପଡିଛି l ଆଜି ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଏସିଏଫଓ ମନସୁନ୍ ଖେମୁଣ୍ଡୁଙ୍କ ନେତୃତ୍ୱରେ ରାଇଘର , ଝରିଗାଁ ,ଡାବୁଗାଁ ଓ ନବରଙ୍ଗପୁର ବନ ବିଭାଗର କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯଇଥିଲା | ସେହିଭଳି ଛତିଶଗଡର ଗାରିଆବନ୍ଦ ଏସିଏଫଓଙ୍କ ନେତୃତ୍ୱରେ ଇନ୍ଦାଗାଓଁ , ତୋରେଙ୍ଗା ଆଦି ରେଂଯର କର୍ମଚାରୀଙ୍କୁ ନେଇ ଆଉ ଏକ ଟିମ୍ ଗଠନ କରାଯଇଥିଲା | ଓଡିଶାର ୬୦ ଜଣ ଓ ଛତିଶଗଡର ୪୦ ଜଣ ବନ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ | ଆଜି ଦିନ ପ୍ରାୟ ୧୨ଟା ସମୟରେ ଉଭୟ ରାଜ୍ୟର ବନ କର୍ମଚାରୀମାନଙ୍କୁ ନେଇ ସୋନପୁର ଡିଏନକେ ଗ୍ରାମରେ ଚଢାଉ ଆରମ୍ଭ ହୋଇଥିଲା | ଉକ୍ତ ଗ୍ରାମର ପ୍ରାୟ ୧୩ ଜଣଙ୍କ ଘର ମଧ୍ୟରୁ ଶାଗୁଆନ କାଠ ଗଣ୍ଡି , ପଟ୍ଟା , ଖଟ ଖୁରା, ଚୌକାଠ ଓ ଅର୍ଦ୍ଧ ନିର୍ମିତ ଫର୍ନିଚର୍ ଗୁଡ଼ିକକୁ ନେଇ ପ୍ରାୟ ୪ ପିକପ ବୋଝେଇ କରି ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଛି l ବର୍ତ୍ତମାନ ସୁଦ୍ଧା ଏହାର ସଠିକ୍ ଆକଳନ କରାଯାଇ ନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ତେବେ ଏହିି ୧୦୦ ଜଣ କର୍ମଚାରୀଙ୍କ ଏହି ଟିମ୍ ଚଢାଉ କରିଥିବା ବେଳେ କାହାରିକୁ ଗିରଫ କରାଯାଇ ନଥିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି l ଆସନ୍ତା କାଲି ଜବତ ହୋଇଥିବା କାଠ ସାମଗ୍ରୀର ପ୍ରକୃତ ତଥ୍ୟ ପ୍ରକାଶ ପାଇବା ବୋଲି ବନ ବିଭାଗ ସୂଚନା ଦେଇଛି l 

Leave A Reply

Your email address will not be published.

16 − 4 =