ବୌଦ୍ଧ : ଜନସାଧାରଣଙ୍କୁ ପାନିୟ ଜଳ ଯୋଗାଇ ଦେବା ସରକାରଙ୍କ ଦାୟୀତ୍ୱ ରହିଥିବା ବେଳେ ବୈାଦ୍ଧଜିଲ୍ଲାରେ ଅନେକ ଗ୍ରାମରେ ପାନିୟ ଜଳ ସମସ୍ୟା ଲାଗିରହିଛି । କେଉଁଠି ମଟର ଅଚଳ ହୋଇ ପଡିଛି ତ କେଉଁଠି ପାଇପ ଲାଇନ ବିଛା ହୋଇଛି କିନ୍ତୁ ସଂଯୋଗ ହୋଇନାହିଁ । କେଉଁଠି ଉଭର ହେଡ ଟ୍ୟାଙ୍କ ଅଛି ହେଲେ ଲୋକ ପାଣି ପାଉନାହାନ୍ତି । ଏଭଳି ସମସ୍ୟା ମଧ୍ୟରେ ଲୋକମାନେ ପାନିୟ ଜଳ ସମସ୍ୟା ଭୋଗ କରୁଛନ୍ତି । ଯାହା ଏବେ ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି । ସୈାର ଶକ୍ତି ଚଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ପଞ୍ଚାୟତର ୭ ଓ ୮ ଦୁଇଟି ୱାର୍ଡର ଜନସାଧାରଣ ପାନିୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତର ଟିକିରାପଡା ଗ୍ରାମରେ ଥିବା ସୌର ଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪ ମାସ ହେଲା ଅଚଳ ହୋଇ ପଡିଛି । ଯାହାଫଳରେ ହଜାରେରୁ ଉଦ୍ଧ୍ୱର୍ ଲୋକ ହଇରାଣ ହେଉଛନ୍ତି ଏପରିକି ନିଜର ରୋଷେଇ ଓ ପାନୀୟ ଜଳ ପାଇଁ ଲୋକେ ବହୁ ଦୂରରୁ ପାଣି ଆଣିବାକୁ ଯାଉଥିବା ଦେଖିବାକୁ ମିଳୁଛି । ବୋରିଂ ରେ ଲାଗିଥିବା ମୋଟର ଖରାପ ଥିବାରୁ ଓ ରାୟପୁରକୁ ମରାମତି ପାଇଁ ପଠାଯାଇଛି ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନ ପ୍ରକାଶ କରିଛନ୍ତି । ତୁରନ୍ତ ଏ ପ୍ରକଳ୍ପକୁ ସଚଳ କରିବା ପାଇଁ ପଂଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।