ସ୍କୁଲ୍ ପିଲା ଲେଖିବେ ଡାଏରି

କଟକ: ଷଷ୍ଠ ରୁ ଦଶମ ଯାଏ ଓଡ଼ିଶା ମାଧ୍ୟମିକ ସ୍କୁଲ ପିଲା ପ୍ରତ୍ୟେକ ଦିନ ଡାଏରି ଲେଖିବେ । ସେଥିରେ ସେମାନେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଳୋଖ କରିବେ । ଏହା ଦ୍ୱାରା ଛାତ୍ରଛତ୍ରୀଙ୍କ ଭାଷାଜ୍ଞାନ ଓ ଲିଖନ ଦକ୍ଷତା ବୃଦ୍ଧି ପାଇବ । ଲକ୍ଡାଉନ୍ ସମୟରେ ଅନ୍ଲାଇନ୍ରେ ପାଠପଢ଼ି ବିରକ୍ତି ପ୍ରକାଶ କରୁଥିବା ପିଲାଙ୍କ ବିରକ୍ତିବୋଧରୁ ସେମାନଙ୍କୁ ମୁକୁଳାଇବାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ବୋର୍ଡର ସଂପାଦକ ଶ୍ରୀକାନ୍ତ ତାରଇ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏ ନେଇ ଚିଠି ଲେଖିଛନ୍ତି । ଚିଠି ଅନୁସାରେ, ଷଷ୍ଠ ଶ୍ରେଣୀ ପିଲା ୬ଟି ବାକ୍ୟରେ, ସପ୍ତମ ଶ୍ରେଣୀ ପିଲା ୮, ନବମ ପିଲା ୯ଟି ବାକ୍ୟ, ୧୦ ଶ୍ରେଣୀ ପିଲା ୧୦ଟି ବାକ୍ୟରେ ପ୍ରତ୍ୟେକ ଦିନ ଡାଏରି ଲେଖିବେ । ଓଡ଼ିଆ ଓ ଇଂରାଜୀ ଭାଷାରେ ପିଲା ଡାଏରି ଲେଖିପାରିବେ । ସ୍ଥଳବିଶେଷରେ ପିଲା ହିନ୍ଦୀ କିମ୍ବା ସଂସ୍କୃତ ଭାଷରେ ମଧ୍ୟ ଲେଖିପାରିବେ । ଏପରିକି ଯେଉଁ ଶ୍ରେଣୀ ପାଇଁ ଯେତିକି ବାକ୍ୟରେ ଲେଖାଯିବା ପାଇଁ କୁହାଯାଇଛି ତାଠାରୁ ଅଧିକ ବାକ୍ୟରେ ମଧ୍ୟ ପିଲା ନିଜ ଅନୁଭୂତି ଲେଖିପାରିବେ । ଏହି ଡାଏରି ଲିଖନ କାର୍ଯ୍ୟ ଶ୍ରେଣୀ ଶିକ୍ଷକମାନେ ନିୟମିତ ଭାବେ ତଦାରଖ କରିବେ ଓ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଏସବୁର ନିୟମିତ ରେକର୍ଡ ରଖି ପ୍ରଧାନଶିକ୍ଷକଙ୍କୁ ଅବଗତ କରିବେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତିମାସରେ ଅନ୍ତତଃ ଦୁଇଥର ଏହି କାର୍ଯ୍ୟକୁ ତଦାରଖ କରିବେ ଓ ଏହାର ଉପାଦେୟତା ସଂପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକଙ୍କୁ ଲିଖିତ ଭାବେ ଜଣାଇବେ ।

Leave A Reply

Your email address will not be published.

twenty − 18 =