ସ୍କୁଲ ମରାମତି ନାଁ ରେ ଟଙ୍କା ଆତ୍ମସାତ ଅଭିଯୋଗ

ଜୋର ଧରିଲା ଭିଜିଲାନ୍ସ ତଦନ୍ତ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଲିହାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମରାମତି ନାଁରେ ଟଙ୍କା ଆତ୍ମସାତ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ପଞ୍ଚାୟତର କୁଲିହାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟ ୧୯୬୨ ମସିହା ମେ ୫ ତାରିଖରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ୬୧ ବର୍ଷର ଶ୍ରେଣୀ କୋଠା ମାନଙ୍କରେ ଏବେ ପାଣି ଝରୁଛି, ଛାତରୁ ସିମେଣ୍ଟ,ଗେଟି ଓ ଲୁହାଗୁଣ୍ଡ ଝରିପଡୁଛି । ବର୍ଷା ଦିନରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅବସ୍ଥା ଦ୍ବିଗୁଣ ହୋଇଯାଏ । ଛାତରୁ ସମସ୍ତ କୋଠରିରେ ପାଣି ଗଳି ଭର୍ତ୍ତି ହୋଇଯାଏ । ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ମରାମତି ପାଇଁ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ପକ୍ଷରୁ ୧ ଲକ୍ଷ ୨୧ ହଜାର ୩୯୨ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ଏହି ଟଙ୍କାକୁ ଚଞ୍ଚକତା କରି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଠିକାଦାର କେବଳ ଛାତ ଉପରେ ସିମେଣ୍ଟ ଲଗେଇ ଟିକିଏ ଜାଗାରେ ଗ୍ରୀଡିଂ କରିଦେଇଛନ୍ତି । ଏବେବି ଛାତରୁ, ସିମେଣ୍ଟ, ଗେଟି ଓ ଲୁହାଗୁଣ୍ଡ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ପଡୁଛି । ଏବେବି ଶ୍ରେଣୀ ଗୃହ ମାନଙ୍କରେ ବଡ଼ବଡ଼ ଗର୍ତ ଅଛି । ଆଜିବି ସ୍କୁଲରେ ରଙ୍ଗ ଟିକେ ମଧ୍ୟ ବୋଳା ଯାଇନି । ଏ ନେଇ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ପଚାରି ବୁଝିବାରୁ ମୁଁ ତଦନ୍ତ କରିବି ବୋଲି କହିଥିଲେ I ତେଣୁ ତୁରନ୍ତ ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅସଲମୁଖା ଜଣାପଡିବ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

7 − seven =