କଟକ: ଜାତୀୟ ସାଇକେଲ ଚାଳନା ଚାମ୍ପିଅନସିପରେ ନୂତନ ରେକର୍ଡ ସୃଷ୍ଟି କରିଥିବା ଓଡ଼ିଶାର ସ୍ୱସ୍ତି ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱସ୍ତିଙ୍କୁ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ସ୍ୱସ୍ତିଙ୍କ ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ଭଲ ପ୍ରଦର୍ଶନ କରିବା ନେଇ ଶୁଭକାମନା କରିଥିଲେ । ସାଇକେଲିଂ କ୍ରୀଡ଼ାରେ ତୁମର ସଫଳତା ଆଗାମୀ ପିଢ଼ିର ମହିଳା କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ। ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଅନ୍ୟପକ୍ଷରେ ସମ୍ବର୍ଦ୍ଧନା ଓ ଆର୍ଥିକ ପୁରସ୍କାର ପାଇଁ ସ୍ୱସ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ପସ୍ତି ଗୁଆହାଟୀରେ ଆୟୋଜିତ ୨୦୨୦ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ନିକଟରେ ରୋଡ ସାଇକେଲିଂ ଚାମ୍ପିଅନସିପରେ ବ୍ୟକ୍ତିଗତ ୩୦୦୦ ମିଟର ପର୍ସୟୁଟାର ୪.୦୫.୫୪୭ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ଏହାଛଡ଼ା ହାଇଦ୍ରାବାଦରେ ଆୟୋଜିତ ୭୨ ତମ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ୧୦ କିଲୋମିଟର ଓ ୨୦ କିଲୋମିଟରରେ ରୌପ୍ୟ ପଦକ ହାସଲ କରିଥିଲେ । ସୂଚନାଯୋଗ୍ୟ ସ୍ୱସ୍ତି ବର୍ତମାନ ଦିଲ୍ଲୀର ଜାତୀୟ ସାଇକେଲିଂ ଏକାଡେ଼ମୀରେ ପ୍ରଶିକ୍ଷଣ ନେଉଛନ୍ତି ।