ସ୍ୱାଧୀନତାର ମୂଳ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ଆହ୍ୱାନ

ଯାଜପୁର: ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଏବଂ ଦୁର୍ବଳ ତଥା ପଛରେ ଥିବା ମଣିଷଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ଏବଂ ଯୋଜନା ପହଂଚିବା ଦେଶର ମୁକ୍ତି ସଂଗ୍ରାମର ମୂଳ ଲକ୍ଷ ଥିଲା । ଏହି ମୂଳ ଲକ୍ଷର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ଦେଶବାସୀ ନିଷ୍ଠାର ସହ ସଂଗ୍ରାମ କରିବାକୁ ୭୪ ତମ ସ୍ୱାଧୀନତା ଦିବସରେ ଆହ୍ୱାନ ଦେଇଛନ୍ତି ଧର୍ମଶାଳାର ବି.ଜେ.ଡି ଯୁବନେତା ତଥା ବରିଷ୍ଠ ସମାଜସେବୀ ସତୀଶ ବିଶ୍ୱାଳ । ଯାଜପୁର ଜିଲ୍ଲାର ଧର୍ମଶାଳା ଓ ରସୁଲପୁର ବ୍ଲକର ୧୦ ଟି ସ୍ଥାନରେ ଜାତୀୟ ପତାକା ଉତୋଳନ କରି ସତୀଶ କହିଛନ୍ତି ଯେ, ଭ୍ରଷ୍ଟାଚାର ଏବଂ ଗରୀବ କଲ୍ୟାଣ ଯୋଜନା ପ୍ରକୃତ ଗରୀବ ପାଖରେ ନପହଂଚିବା ଦେଶର ବିକାଶରେ ସବୁଠାରୁ ବଡ ଅନ୍ତରାୟ ହୋଇଛି । ଦେଶର ସଂଗ୍ରାମୀ ମାନଙ୍କ ଅଜସ୍ର ବଳିଦାନ, ଅସମ୍ଭବ ତ୍ୟାଗ ପରେ ଅମୂଲ୍ୟ ସ୍ୱାଧୀନତା ମିଳିଛି । ନିଜ ଜୀବନକୁ ତୁଚ୍ଛ କରି ଏହି ସଂଗ୍ରାମକୁ ବଳୀୟାନ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ବୋଷ ପ୍ରମୁଖ ମହାନ ସଂଗ୍ରାମୀ ମାନେ ସ୍ୱାଧୀନ ଭାରତରୁ ଯେଉଁ ଆଶା ରଖିଥିଲେ ତାହା ଧୀରେ ଧୀରେ ବାଟବଣା ହୋଇ ଯାଇଛି । ଏଥିପାଇଁ ସାଧାରଣ ଜନତା ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ନିଷ୍ଠାବାନ ହୋଇ ଦେଶରେ ଉତମ ଜନପ୍ରତିନିଧି ଚୟନ କରିବା ସହ ପ୍ରତ୍ୟେକ କ୍ଷେତ୍ରରେ ଭ୍ରଷ୍ଟାଚାରକୁ ବିରୋଧ କରି ନିଜର ରାଷ୍ଟ୍ରପ୍ରେମକୁ ଉଜ୍ଜିବୀତ କରିବାକୁ ସତୀଶ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସତୀଶ ପଟୁଣିଆ, ଅରାବଳର ନାଳକୂଳ, ଆରୁହାର କୋହ୍ଲା, ରେଖିଦେଇପୁରର ପାଇକରାପୁର, ବୃନ୍ଦାଦେଇପୁରର ଢିହକଷ୍ଟି , ଜେନାପୁର, ଓଡିଶୋର ମାନପୁର ଆଦି ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ କରିବା ସହ ବୃନ୍ଦାଦେଇପୁର ଠାରେ ଥିବା ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଡିହକଷ୍ଟିରେ ବୃକ୍ଷ ରୋପଣ କରାଯିବା ସହ ବିଭିନ୍ନ ସ୍ଥାନରେ ବିଭିନ୍ନ ଜନହିତକର କାର୍ଯ୍ୟରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

14 − seven =