ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ୱାଧୀନତା ଦିବସ ଉତ୍ସବସ୍ଥଳୀକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ୩୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବ। ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କଡ଼ାକଡ଼ି କରାଯିବ। ଏହି ଉତ୍ସବରେ ଅତିଥିଙ୍କୁ ମିଶାଇ ଉପସ୍ଥିତଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରହିବ। ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସମୟରେ କେହି ମଞ୍ଚ ନିକଟକୁ ଯିବେ ନାହିଁ। ସଲାମୀ ଦେବା ଲାଗି ମାତ୍ର ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମଞ୍ଚ ନିକଟରେ ରହିବେ। ସ୍ବାଧୀନତା ଦିବସ ଦିନ ସଟଡାଉନ ଥିବାରୁ ଯାନବାହାନ ଚଳାଚଳ ଉପରେ କଟକଣା ରହିବ। ଜନସାଧାରଣ ସ୍ବାଧୀନତା ଦିବସ ପରେଡ ଦେଖିବାକୁ ପଡିଆକୁ ପ୍ରବେଶ କରିପାରିବେ ନାହିଁ। ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ଜନଗହଳି ଏଡ଼ାଇବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ଜିଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ପାଇଁ ମାତ୍ର ଗୋଟିଏ କିମ୍ବା ଦୁଇଟି ପରେଡ କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିବେ। ପରେଡ କିମ୍ବା ମାର୍ଚ୍ଚ ଫାଷ୍ଟ ହେବ ନାହିଁ। ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା(ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀ)ଙ୍କ ସମେତ ସର୍ବାଧିକ ୫୦ରୁ ୭୫ ଜଣ ଅତିଥିଙ୍କୁ ଉତ୍ସବସ୍ଥଳକୁ ଆମନ୍ତ୍ରଣ କରାଯିବ। ଉତ୍ସବସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ରହିବ ନାହିଁ। ସମଗ୍ର ଅଞ୍ଚଳକୁ ସଂକ୍ରମଣମୁକ୍ତ କରାଯିବ। ଏହି ମର୍ମରେ ସମସ୍ତ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶନାମା ପଠାଯାଇଛି। ବ୍ଲକ ଓ ପଞ୍ଚାୟତସ୍ତରତରେ ଏହି ନିର୍ଦେଶନାମା ଆଧାରରେ ଉତ୍ସବ ପାଳନ ନେଇ ପଦକ୍ଷେପ ନେବାକୁ ସେମାନଙ୍କୁ କୁହାଯାଇଛି।