ହତ୍ୟାକାଣ୍ଡକୁ ନେଇ ଗ୍ରାମ ବୈଠକରେ ଉତେଜନା

ଯାଜପୁର: ଯାଜପୁର ଥାନା ତଥା ଦଶରଥପୁର ବ୍ଲକ୍ ଅକରପଡ଼ା ପଂଚାୟତ ଭେଲଙ୍ଗ ଗ୍ରାମର ମଧୂସୂଦନ ମଲ୍ଳିକଙ୍କ ପୁଅ ଟୁଟନ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅପରାଧିର ସଂପର୍କିୀୟଙ୍କ ଧମକ ଚମକକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ସୂଚନା ମୁତାବକ ଟୁଟନ ହତ୍ୟାକାଣ୍ଡ ଘଟଣାରେ ଯାଜପୁର ପୁଲିସ ତଦନ୍ତକୁ ଶାଣିତ କରିବା ସହ ୮ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଏହି ହତ୍ୟାକାଣ୍ଡରେ କୈାଣସି ସଂପୃକ୍ତି ଥିବା ପ୍ରମାଣ ନ ମିଳିବାରୁ ଗୁରୁବାର ୬ ଜଣଙ୍କୁ ଛାଡ଼ି ଦେଇଥିବା ବେଳେ ବାକି ୨ ଜଣ ଅଜୟ ମଲ୍ଳିକ ଓ ବିରଂଚି ମଲ୍ଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ପୁଲିସ କବଳରୁ ଛାଡ଼ ପାଇଥିବା ଅପରାଧି ବିରଂଚି ମଲ୍ଳିକଙ୍କ ଜୈନିକ ସଂପର୍କୀୟ ଗ୍ରାମକୁ ଫେରିବା ପରେ ମୃତକ ଟୁଟନଙ୍କ ପରିବାରକୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲା । ଯାହାକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଟୁଟନଙ୍କ ବାପା ମଧୂସୂଦନ ଓ ମାଆ ଡ଼ାଙ୍ଗୀ ଓ ଭଉଣୀଙ୍କ ସମେତ କିଛି ପଡେ଼ାଣୀ ଗ୍ରାମବାସୀଙ୍କ ଦ୍ୱାରସ୍ଥ ହେବା ସହ ଗ୍ରାମ ସ୍ଥିତ ଭିମେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପାଖାପାଖି ଶତାଧିକ ମହିଳା ଓ ପୁରୁଷ ମେଳି ହୋଇ ନିଜର ସୁରକ୍ଷା ଦାବି କରି ଧମକ ଦେଉଥିବା ସଂପୃକ୍ତ ଯୁବକଙ୍କୁ ପୁଲିସ ଅବିଳମ୍ବେ ଗିରଫ କରୁ ବୋଲି ଦାବି କରିଥିଲେ । ଫଳରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । କରୋନା ସଂକ୍ରମଣକୁ ନେଇ ସମଗ୍ର ଜିଲ୍ଳାରେ ଜାରି ରହିଥିବା ଲକଡ଼ାଉନ୍ ସ୍ଥିତିରେ ମନ୍ଦିର ପ୍ରାଙ୍ଗଣରେ ମେଳି ବସିଥିବା ଖବର ପାଇ ଯାଜପୁର ଟାଉନ ଥାନାଧିକାରୀ ଆଶିଷ କୁମାର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଂଚିଥିଲେ । ପୁଲିସକୁ ଦେଖି ଘଟଣା ସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ହେଁ ପୁଲିସ ଫେରିବା ରାସ୍ତାରେ ମୃତ ଟୁଟନର ପରିବାର ବର୍ଗ ଓ କିଛି ପଡେ଼ାଶୀ ପୁଲିସର ଗାଡ଼ିକୁ ଅଟକାଇ ହତ୍ୟାରେ ଗିରଫ ହୋଇଥିବା ସଂପୃକ୍ତ ପରିବାରର ଜଣେ ସଦସ୍ୟଙ୍କ ଆଚରଣ ନେଇ ବିରୋଧ ଦର୍ଶାଇବା ସହ ନିଜର ସୁରକ୍ଷା ଦାବି କରିଥିଲେ । ଥାନାଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ବୁଝାସୁଝା କରିବା ସହ ଆଇନ ଓ ପୁଲିସ ଉପରେ ଭରଷା ରଖିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

five × 2 =