ସୁନ୍ଦରଗଡ଼: ଦେଢ଼ବର୍ଷ ପରେ ସୁନ୍ଦରଗଡ଼ ବନଖଣ୍ଡର ହେମଗିର ବନାଂଚଳସ୍ଥିତ ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦୃଷ୍ଟିଗୋଚର ହୋଇଛନ୍ତି । କିଛିଦିନ ତଳେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ନଜରରେ ଏହା ପଡ଼ିଥିବା କୁହାଯାଉଛି । କିନ୍ତୁ ବନବିଭାଗ ଏ ସମ୍ପର୍କରେ ନିରବ ରହିଛି । ଏହାପୂର୍ବରୁ ୨୦୧୮ ମଇ ମାସରେ ଏହି ଜଙ୍ଗଲରେ ଏକ କଳାବାଘ ନଜରକୁ ଆସିଥିଲା । ଓଡ଼ିଶା ରାଜ୍ୟ ଜଙ୍ଗଲରେ ପ୍ରଥମକରି ଏକ ବିରଳ କଳାବାଘ ଦେଖାଯିବା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା । ଗର୍ଜନପାହାଡ ଉପରେ ବିଭାଗର ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେତେବେବେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭ କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା । ବଘାଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ ୨୦୧୯ରେ ଦୁଇଟି ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା । ସେତେବେଳେ ବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ । କିନ୍ତୁ ଏହାପରେ ପରେ ବାଘଟି ଜଙ୍ଗଲରୁ ଗାଏବ ହୋଇଯାଇଥିଲା । ଏବେ ଦେଢ଼ବର୍ଷ ପରେ ପୁଣି ଦୁଇଟି କଳାବାଘ ଦୃଷ୍ଟିକୁ ଆସିଥିବାବେଳେ ଏହା ୨୦୧୮ରେ ପରିଦୃଷ୍ଟ ବାଘର ଛୁଆ ହୋଇପାରନ୍ତି ବୋଲି କୁହାଯାଉଛି । ପ୍ରକାଶଥାଉକି, ଏଯାଏ ଭାରତର ୯ଟି. ରାଜ୍ୟରେ କଳାବାଘ ଦେଖାଯାଇଛି । ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ପ୍ରଥମ କରି କଳାବାଘ ଦେଖାଯାଇଥିଲା । କର୍ଣ୍ଣାଟକରେ ୪ଟି ବାଘ ଅଭୟାରଣ୍ୟ ବୋଲି କୁହାଯାଏ । ଏହାସହ ଦକ୍ଷିଣର କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ ଓ ଉତରରେ ହିମାଚଳପ୍ରଦେଶ, ଉତର-ପୂର୍ବଂଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ରେ କଳାବାଘ ଦେଖାଯାଇଥିବାବେଳେ ୨୦୧୮ରେ ନବମ ରାଜ୍ୟ ଭାବେ ଓଡ଼ିଶାରେ ନଜରକୁ ଆସିଛି । ୨୦୧୭ରେ ମହାରାଷ୍ଟ୍ର ଓ ପରେ ପରେ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ଉଦନ୍ତୀସୀତା ନଦୀ ବନ୍ୟାପ୍ରାଣୀ ଅଭ୍ୟୟାରଣ୍ୟରେ ଦେଖାଯାଇଥିବା କଳାବାଘ ୨୦୧୮ରେ ସେଠାରୁ ମାତ୍ର ୩ ଶହ କିଲୋମିଟର ଦୂର ହେମଗିରକୁ ଆସିଥିଲା । ସେତେବେଳେ ସେ ସମ୍ଭବତଃ ଗର୍ଭବତୀ ଥିଲା ଓ ଛୁଆ ଜନ୍ମ କରିବାକୁ ଏଠାକୁ ଚାଲିଆସିଥିଲା । ଏଠାରେ ରହିବା ଭତିରେ ଛୁଆ ଜନ୍ମ କରିଥିଲା । ସେମାନେ ବଡ଼ ହୋଇ ଶିକାର କରିବାକୁ ସକ୍ଷମ ହୋଇଯିବା ପରେ ମା’ ବାଘୁଣୀ ପୁଣି ନିଜ ପୁରୁଣା ବାସସ୍ଥାନକୁ ଫେରାଯାଇଥିବା କୁହାଯାଉଛି ।