୧୧୩୫ ଶିଳ୍ପୀ ପାଇବେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ରାଜ୍ୟର ଚିତ୍ରଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଅନ୍ଲାଇନ୍ ଚିତ୍ରକଳା ପ୍ରତିଯୋଗୀତାର ଫଳାଫଳ ପ୍ରକାଶ ପାଇଛି । ମଙ୍ଗଳବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । କନିଷ୍ଠ ବିଭାଗରୁ ୮୩୩ ଜଣ ଓ ବରିଷ୍ଠ ବିଭାଗରୁ ୩୦୦ ଜଣ ଶିଳ୍ପୀଙ୍କୁ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । କନିଷ୍ଠ ବର୍ଗର ପ୍ରତ୍ୟେକ ବିଜେତାଙ୍କୁ ୧ ହଜାର ଟଙ୍କା ଏବଂ ବରିଷ୍ଠ ଶିଳ୍ପୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯିବ । ଏହି ଅର୍ଥ ଅନ୍ଲାଇନ୍ରେ ଶିଳ୍ପୀଙ୍କ ଆକାଉଂଟକୁ ସିଧାସଳଖ ପ୍ରେରଣ କରାଯିବ । ଏତଦ୍ବ୍ୟତୀତ ଏକାଡେମୀ ଦ୍ୱାରା ସହବନ୍ଧିତ ରାଜ୍ୟର ୧୦୦ଟି ଚିତ୍ରକଳା ଶିକ୍ଷାନୁଷ୍ଠାନ ନାମ ଘୋଷଣା କରାଯାଇଥିଲା । ଏହି ଅନୁଷ୍ଠାନ ଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଦିଆଯିବ । କୋଭିଡ୍ ଲକ୍ଡାଉନ୍ ସମୟରେ ଏହି ଧରଣର କାର୍ଯ୍ୟକ୍ରମ କୌଣସି ରାଜ୍ୟରେ ଆଗକୁ କରାଯାଇ ନଥିବା ବେଳେ ଏହା ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଏସ୍ଡି ମନସ୍ୱିନୀ ସାହୁ ଓ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two + 6 =