ଭୁବେନଶ୍ୱର: ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ୧୧ ଟି ଦଳର ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ଏହି ପ୍ରତିବାଦ କରିବା ସହିତ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ସପ୍ତଗିରି ଉଲାକା, ଆଶିଷ କାନୁନ୍ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହିତ ଦାବିଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ । କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍ ଟେଷ୍ଟିଂ ଖୁବ୍ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ । ପ୍ରତିନିଧି ଦଳ ଉପରୋକ୍ତ ରାଜ୍ୟପାଳଙ୍କୁ ୧୭ ଦଫା ଦାବି ପୂରଣ ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ସେଗୁଡିକ ଭିତରୁ ପ୍ରମୁଖ ଦାବିଗୁଡିକ ହେଉଛି ଆୟକର ଦେଉ ନଥିବା ଓଡିଶାର ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ସିଧାସଳଖ ଆର୍ଥିକ ସହାୟତା, ୬ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୦ କିଲୋ ଚାଉଳ ଓ ୫ କିଲୋ ଡାଲି ଯୋଗାଇବା, ଚାଷୀମାନଙ୍କର ସମସ୍ତ ରବି ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କ୍ରୟ କରିବା ସହିତ ଖରିପ୍ ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଏକର ପିଛା ୬୦ଟି ମଜୁରୀ ମନରେଗାରୁ ଭରଣା କରିବା, ଉଠା ଦୋକାନୀ, କଳାକାର ଇତ୍ୟାଦିଙ୍କୁ ୧୦ ହଜାର ଟଙ୍କାର ସହାୟତା ଦେବା, ସୂତାକଳ ସମେତ ରାଜ୍ୟରେ ବନ୍ଦ ହୋଇପଡିଥିବା କଳକାରଖାନାଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଓଡିଶା ଔଷଧ ନିଗମରେ ହେଉଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଇତ୍ୟାଦି ଅର୍ନ୍ତଭୁକ୍ତ ।