୩ରେ ଶ୍ରମିକ ସଂଗଠନର ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧି, ଜନ ବିରୋଧି ଓ ଦେଶ ବିରୋଧି ନୀତି ବିରୁଦ୍ଧରେ ଆସନ୍ତା ୩ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେ଼ରେସନମାନେ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏହି ଶ୍ରମିକ, କୃଷକ, ଜନବିରୋଧି ଓ ଦେଶ ବିରୋଧି ନୀତି ବିରୋଧରେ ଶ୍ରମିକ ଶ୍ରେଣୀ ସଂଗଠିତ ଭାବରେ ବିକ୍ଷୋଭ, ଧାରଣା ଆଦି ଜରିଆରେ ପ୍ରତିବାଦ ଜଣାଇବାକୁ ନିବେଦନ । ଏହି ପ୍ରତିବାଦ ଦିବସ ପାଳନ ମଧ୍ୟଦେଇ ଆଗାମୀ ଦିନରେ ଅସହଯୋଗ ଏବଂ ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ସ୍ୱାର୍ଥ ବିରୋଧି ନୀତି ନିଷ୍ପତି ଗୁଡ଼ିକ ବିରୋଧରେ ସଂଗ୍ରାମ ସଫଳ କରିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।
କୋଭିଡ଼-୧୯ କବଳରେ ଭାରତ ବର୍ଷ । ସରକାରଙ୍କ ଅପରିଣାମ ଦର୍ଶୀ ନୀତି କାରଣରୁ ଆଜି ଦେଶର ସାଧାରଣ ମଣିଷ ନାହିଁ ନଥିବା ଦୁର୍ଦ୍ଧଶାର ସମ୍ମୁଖିନ ହେଉଛି । କୋଣସି ପ୍ରାକ୍ ପ୍ରସ୍ତୁତି ବିନା ତରବରିଆ ଭାବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଡ଼ାଉନ / ସଟ୍ଡାଉନ ଘୋଷଣା ଦେଶର ଶ୍ରମଜୀବି ଜନତାଙ୍କ ଜୀବନ ଜୀବିକା ଛଡ଼ାଇ ନେଉଛି । ସରକାରଙ୍କ ଭୁଲ ନୀତି କାରଣରୁ ଶତାଧିକ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ, ଚାକିରି ହରାଇ, ମଜୁରୀ ନପାଇଁ ଆତ୍ମହତ୍ୟା କରିବା ପାଇଁ ସରକାର ଏକ ପ୍ରକାର ବାଧ୍ୟ କରୁଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଖର୍ଚ୍ଚରେ ସେମାନଙ୍କ ଭିଟାମାଟିରେ ପହଂଚାଇବା ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାର ଭୁଲିଗଲେ । ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ୱେ ଏହା ପୂର୍ଣ୍ଣ ମାତ୍ରାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ସମସ୍ତଙ୍କୁ ଅତି କମ୍ରେ ୬ମାସ ପାଇଁ ବ୍ୟକ୍ତି ପିଛା ୧୦ କେଜି ଖାଦ୍ୟଶସ୍ୟ, ପ୍ରତ୍ୟେକ ଆୟକର ପ୍ରଦାନ କରୁନଥିବା ପରିବାରକୁ ୬ ମାସ ପାଇଁ ମାସିକ ୭୫୦୦/- ଟଙ୍କାର ସହାୟତା ଯୋଗାଇ ଦେବାକୁ ଆମର ଦାବି ସରକାର କର୍ଣ୍ଣପାତ କରୁନାହାନ୍ତି । ଦେଶର ୨୪ କୋଟିରୁ ଊର୍ଦ୍ଧ୍ୱ ଲୋକ ନିଜର ଜୀବିକା ହରାଇ ସାରିଲେଣି । ବେକାରି ସଂଖ୍ୟା ଆକାଶ ଛୁଆଁ ହୋଇ ୨୭ ପ୍ରତିଶତରେ ପହଂଚିଲାଣି । ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇ.ଏଲ.ଓ)ର ରିପୋର୍ଟ ଅନୁଯାୟୀ ୪୦ କୋଟିରୁ ଉଦ୍ଧ୍ୱର୍ ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ । ଜନଗଣଙ୍କ ଦୁର୍ଦ୍ଧଶା ବଢ଼ୁଛି । ରାଜ୍ୟ ସରକାର କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନ୍ ସଂଶୋଧନ କରୁଛନ୍ତି । କାରଖାନା ଆଇନ ୧୯୪୮କୁ ପରିବର୍ତନ କରି ଦୈନିକ ଶ୍ରମ ନିର୍ଘଂଟକୁ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି, ଶିଳ୍ପ ବିବାଦ ଆଇନ ୧୯୪୭ କୁ ପରିବର୍ତନ କରି ୩୦୦ ଶ୍ରମିକ ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା କାରଖାନାରେ ତାଲାବନ୍ଦ ଓ ଶ୍ରମିକ ଛଟେଇ ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏହି କାରଖାନାଗୁଡ଼ିକରେ ଶ୍ରମ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଆଉ ଶ୍ରମ ବିଭାଗ ତଦାରଖ କରିପାରିବ ନାହିଁ । ଫଳରେ ଶ୍ରମିକ ଶୋଷଣର ସୀମା ରହିବ ନାହିଁ । ଶ୍ରମିକର ଅର୍ଜିତ ଛୁଟିକୁ ୨୪୦ ଦିନରୁ ୧୮୦ଦିନକୁ କମାଇ ଦେବାକୁ ନିଷ୍ପତି ହୋଇଛି । କୋଭିଡ଼-୧୯ ଯୋଦ୍ଧାଭାବେ କାର୍ଯ୍ୟରତ ଅଙ୍ଗନୱାଡ଼ି, ଆଶା, ମଧ୍ୟାହ୍ନ ଭୋଜନ ପାଚିକା, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ପାଇଁ ସରକାର କୋଣସି ପ୍ରୋତ୍ସାହନ ଘୋଷଣା କରିନାହାନ୍ତି । ଏହି ଘଡ଼ିସନ୍ଧି ମୂହୁର୍ତରେ ସରକାର ନିଜର ଦାୟିତ୍ୱ ପାଳନ କରି ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କୋର୍ଡ. ଲାଗୁକରିବା ନିଷ୍ପତିକୁ ବାତିଲ କରିବା, କୋଭିଡ଼ ସମୟରେ କାର୍ଯ୍ୟ ହରାଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରୀ ସହ ପୁନଃ ନିଯୁକ୍ତି, ଓଡ଼ିଶାରେ ବନ୍ଦ ରହିଥିବା କଳକାରଖାନାର ପୁନରୁଦ୍ଧାର, ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଂଚାଇବା ସହ ରୋଜଗାରର ସାଧନ ଯୋଗାଇଦେବା, ମୃତୁ୍ୟବରଣ କରୁଥିବା ପ୍ରବାସୀ ଶ୍ରମିକ ଓ କୋଭିଡ଼ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଭାରତୀୟ ଶ୍ରମ ସମ୍ମିଳନୀର ଆୟୋଜନ ପ୍ରଭୃତି ଦାବୀକୁ ନେଇ ଆସନ୍ତା ଜୁଲାଇ ୩ ତାରିଖ ଦିନ ଦେଶ ବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.

8 + 16 =