ଭୁବନେଶ୍ୱର: ରାଜଧାନୀରେ କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇଥିବା ପ୍ରାୟ ୩୦ ଡାକ୍ତର କରୋନା ସଂକ୍ରମିତ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି ।
ତେବେ ଜଣେ ଡାକ୍ତରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଥିବା ଜଣାପଡ଼ିଛି । ରାଜଧାନୀରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକାର ଗଞ୍ଜାମ ଢ଼ାଂଚାରେ ଉଦ୍ୟମ ଆରମ୍ଭ କରିଥିଲେ । ଏଥିପାଇଁ ୧୦୦ ଜଣ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ସହିତ ବିଭିନ୍ନ ପଦେକ୍ଷପ ଗ୍ରହଣ କରାଯାଇଥିଲା । ଯଦିଓ ରାଜଧାନୀରେ ଏବେ ଦୈନିକ ସଂକ୍ରମଣ ୫ ଶହରୁ ତଳକୁ ଖସି ଆସିଛି ତଥାପି ଏହା ୩ ଶହରୁ ତଳକୁ ଖସୁନାହିଁ । ଆୟୁଷ ଡାକ୍ତରମାନଙ୍କୁ ମନିଟରିଂ ସେଲ୍ ୧୯୨୯ ଟୋଲ ଫ୍ରି, କୋଭିଡ କେୟାର, ଆଇଆରଟି ଓ ମୁ୍ୟନସିପାଲିଟିରେ ନିୟୋଜତି କରାଯାଇଛି । ୩୦ ସଂକ୍ରମିତ ଆୟୁଷ ଡାକ୍ତରଙ୍କ ମଧ୍ୟରେ ଜଣେ ଗର୍ଭବତୀ ବି ରହିଛନ୍ତି । କିଛି ଡାକ୍ତରଙ୍କୁ ପୂର୍ବରୁ ଏକ ଇଞ୍ଜିନିୟରିଂ କଲେଜରେ ହୋଇଥିବା କୋଭିଡ କେୟାର ସେଂଟ ବା ସିସିସିରେ ରଖାଯାଇଛି । ସଂପୃକ୍ତ ହଷ୍ଟେଲରେ ସମସ୍ତଙ୍କ ପାଇଁ ସାର୍ବଜନୀନ ଶୌଚାଳୟ ସୁବିଧା ରହିଛି । ଏଠାରୁ ବହୁ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
କୋଭିଡ ଯୋଦ୍ଧାଙ୍କ ଏଭଳି ଅବ୍ୟବସ୍ଥା ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅପରପକ୍ଷରେ କଟକରେ ମଧ୍ୟ ୫୦ ଜଣ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ତେବେ ସେଠାରେ କେହି ଡାକ୍ତର ଏ ପର୍ଯ୍ୟନ୍ତ ସଂକ୍ରମିତ ହୋଇ ନ ଥିବା ସୂଚନା ମିଳିଛି ।