୩୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗାର ଜବତ: ୧୬ ଗିରଫ

ପୁରୀ: ସହରରେ ବେଆଇନ୍ ଭାବେ ବ୍ରାଉନ୍ ସୁଗାର ନିଶା କାରବାର ବିକ୍ରି ଭଳି ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ୍ ପକ୍ଷରୁ ନିଶା କାରବାର କରୁଥିବା ଅପରାଧିଙ୍କ ବିରୋଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସହରରୁ ନିଶା କାରବାରକୁ ମୁଳପୋଛ କରିବା ପାଇଁ ଜିଲ୍ଲା ପୋଲିସ୍ ଏବେ ଆକ୍ସନ୍ ମୁଡ଼୍ରେ । ଯାହାକୁ ନେଇ ନିଶା କାରବାର କରୁଥିବା ଅପରାଧିଙ୍କ ମଧ୍ୟରେ ଏବେ ଛାନିଆ ପଶିଛି । କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି । ବ୍ରାଉନ୍ ସୁଗାର କାରବାରକୁ ରୋକିବା ପାଇଁ ସହରର ସମସ୍ତ ଥାନାକୁ ଜିଲ୍ଲା ଏସ୍ପି କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ସହରର ବିଭିନ୍ନ ଥାନା ପକ୍ଷରୁ ୨ ଜଣ ମୁଖ୍ୟ ନିଶା ସପ୍ଲାୟରଙ୍କ ସମେତ ୧୬ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ୩ ଶହ ୫୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି । ନିଶା କାରବାର ଅଭିଯୋଗରେ ପୋଲିସ୍ ଓଆର୍୦୨ବିୟୁ ୦୫୧୧ ନମ୍ବର ବିଶିଷ୍ଟ ଏକ ଚେଭ୍ରୋଲେଟ୍ କାର୍ ଓ ଓଡି୧୩ପି ୧୮୫ ନମ୍ବର ବିଶିଷ୍ଟ ଏକ ଟିଭିଏସ୍ ସ୍କୁଟି ଜବତ କରିଛି । ଜବତ ହୋଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ମଙ୍ଗଳବାର ଅପରାହ୍ନରେ କୁମ୍ଭାରପଡ଼ା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର କନ୍ୱର ବିଶାଲ ସିଂ । ଶ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସହରରେ ନିଶା କାରବାରକୁ ରୋକିବା ପାଇଁ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାରେ କୈାଣସି ପରିସ୍ଥିତିରେ ଅପରାଧିଙ୍କୁ ଅପରାଧ ଘଟାଇବାକୁ ସୁଯୋଗ ଦିଆଯିବ ନାହିଁ । ଅପରାଧ ଦମନ ପାଇଁ ପୋଲିସ୍ ପକ୍ଷରୁ ଅପରାଧିଙ୍କ ବିରୋଦ୍ଧରେ ଆଇ ଅନୁଯାୟୀ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅପରାଧକୁ ଜିରୋ ଟଲେରାନ୍ସ ରୁପେ ଗ୍ରହଣ କରାଯାଇଛି । ଅପରାଧ ଛାଡ଼ ନହେଲେ ଜିଲ୍ଲା ଛାଡ଼ ବୋଲି ଅପରାଧିମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଏସ୍ପି । ବ୍ରାଉନ୍ ସୁଗାର ନିଶା କାରବାର ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଦିଲ୍ଲୀପ ନାୟକ, ଦୀପକ ନାୟକ, ବୁଧିଆ ନାୟକ, ଅକ୍ଷୟ ନାୟକ, ପ୍ରସନ୍ନ ପ୍ରଧାନ, ଝରଣା ପଣ୍ଡା ଓ ରାଜେଶ ପଣ୍ଡା । ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ୍ ୨୭୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । କୁମ୍ଭାରପଡ଼ା ଥାନା କେଶ୍ ନଂ ୭୧/୨୦୨୧ କ୍ରମେ ଏନ୍ଡିପିଏସ୍ ଆକ୍ଟର ଧାରା ୨୧ ଓ ୨୯ ଆଧାରରେ ମାମଲା ରୁଜୁ ହୋଇଛି । ବାସେଳି ସାହି ଥାନା ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମମତା ନାୟକ, ଚନ୍ଦନ ମଙ୍ଗରାଜ, କାଳିଆ ବେହେରା, ଶଙ୍କର ମଲ୍ଲିକ । ପୋଲିସ୍ ଅଭିଯୁକ୍ତମାନଙ୍କ ନିକଟରୁ ୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଏ ନେଇ ବାସେଳି ସାହି ଥାନା ପୋଲିସ୍ କେଶ୍ ନଂ ୪୪/୨୦୨୧ କ୍ରମେ ଏନ୍ଡିପିଏସ୍ ଆକ୍ଟର ଧାରା ୨୧ ଅନୁଯାୟୀ ମାମଲା ରୁଜୁ କରିଛି । ବଳିଆପଣ୍ଡା ଥାନା ପୋଲିସ୍ ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ନିଶା ବେପାରୀମାନେ ହେଲେ ମାଧବ ମଣ୍ଡଳ, ସଞ୍ଜୟ ଦାସ, ରାମ ଦୋରା, ରମେଶ ନାୟକ । ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ୍ ୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ବଳିଆପଣ୍ଡା ଥାନା ପକ୍ଷରୁ କେଶ୍ ନଂ ୫୦/୨୦୨୧ କ୍ରମେ ଏନ୍ଡିପିଏସ୍ର ଧାରା ୨୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଛି । କୋର୍ଟ ଅଭିଯୁକ୍ତମାନଙ୍କର ଜାମିନ୍ ନାମଞ୍ଜୁର କରିବାରୁ ପୋଲିସ୍ ସେମାନଙ୍କୁ ଜେଲ୍କୁ ପଠାଇ ଦେଇଛି ।

Leave A Reply

Your email address will not be published.

nineteen + seventeen =