୬ ବର୍ଷରେ ମଲେଣି ୧୪୬ ହାତୀ ଓ ଅଧିକ ମଣିଷ

ଅନୁଗୁଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ-ମଣିଷ ଲଢେ଼ଇ । ମହାନଦୀ ହାତୀ କରିଡ଼ର ଅଂଚଳରେ ଆସୁଥିବା ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ହାତୀ-ମଣିଷର ଏ ଲଢେ଼ଇ କ୍ରମଶଃ ତୀବ୍ର ହୋଇଛି । ଗତ ୬ ବର୍ଷ ଆଉ ୪ ମାସ ମଧ୍ୟରେ ଏହି ଦୁଇ ଜିଲ୍ଳାରେ ୧୪୬ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୧୯୨ ଜଣଙ୍କର ପ୍ରାଣହାନି ଘଟିଛି । ଅନୁଗୁଳ ତୁଳନାରେ ଢେ଼ଙ୍କାନାଳ ଜିଲ୍ଳାରେ କିନ୍ତୁ ହାତୀ-ମଣିଷର ସଂଘର୍ଷ ଅଧିକ ଉଦବେଗଜନକ ରହିଥିବା ତଥ୍ୟ କହୁଛି । ଅନୁଗୁଳ ଜିଲ୍ଲାରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ ୫୯ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୭୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଢେ଼ଙ୍କାନାଳ ଏହି ଅବଧି ମଧ୍ୟରେ ୮୭ଟି ହାତୀ ମରିଥିବା ବେଳେ ୧୧୬ ଜଣ ଲୋକଙ୍କୁ ହାତୀମାନେ ମାରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଳାରେ ୨୦୧୪-୧୫ ବର୍ଷରେ ୫ ଜଣ ଲୋକ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏହି ବର୍ଷ ୫ଟି ହାତୀ ମରିଥିଲେ । ହାତୀ-ମଣିଷ ଲଢେ଼ଇ ପରିମାସ୍ୱରୂପ ୨୦୧୫-୧୬ ବର୍ଷାରେ ୯ଟି ହାତୀ ୧୦ ଜଣ ଲୋକ, ୨୦୧୬-୧୭ ମସିହାରେ ଯଥାକ୍ରମେ ୧୦ଟି ହାତୀ, ୧୨ ଜଣ ଲୋକ, ୨୦୧୭-୧୮ରେ ୧୧ଟି ହାତୀ ଓ ୧୫ ଜଣ ଲୋକ ମରିଥିଲେ । ସେହିଭଳି, ୨୦୧୮-୧୯ରେ ୧୩ ହାତୀ ଓ ୫ ଜଣ ଲୋକ ୨୦୧୯-୨୦ ବର୍ଷରେ ୮ଟି ହାତୀ ଓ ୨୨ ଜଣ ଲୋକ ପ୍ରାଣ ହରାଇଥିଲା ବେଳେ ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ୩ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଢେ଼ଙ୍କାନାଲ ଜିଲ୍ଲାରେ ଏହି ଅନୁପାତ ଅଧିକ ରହିଛି । ୨୦୧୪-୧୫ ବର୍ଷରେ ୧୪ଟି ହାତୀ ଓ ୧୨ ଜଣ ମଣିଷ ମରିଥିଲେ । ସେହିପରି ହାତୀ ଓ ମଣିଷଙ୍କ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୨୦୧୫-୧୬ ବର୍ଷରେ ୧୧ ଓ ୧୫, ୨୦୧୬-୧୭ ବର୍ଷରେ ୯ ଓ ୧୫, ୨୦୧୮-୧୯ ବର୍ଷରେ ୧୮ ଓ ୨୭ ଏବଂ ୨୦୧୯-୨୦ ବର୍ଷୋ ୧୬ ଓ ୨୧ ରହିଛି । ୨୦୧୭-୧୮ ବର୍ଷରେ ୧୯ଟି ହାତୀ ମରିଥିବା ବେଳେ ମଣିଷ ମୃତ୍ୟୁ ସଂଖ୍ୟା ବି ସମାନ ରହିଥିଲା । ୨୦୨୦-୨୧ ବର୍ଷର ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ଗୋଟିଏ ହାତୀ ଓ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଢ଼ିଛି । ହାତୀମାନଙ୍କ ସୁରକ୍ଷା ପାଇଁ ୩ଟି ହାତୀ କରିତର ଗଠନ କରାଯାଇଥିଲା । ମହାନଦୀ ହାତୀ କରିଡର ପରିସୀମା ବୃଦ୍ଧି କରାଗଲେ ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

12 − three =