ଭୁବନେଶ୍ୱର: ରାଜ୍ୟ ବାହାରେ ଦାନାପାଣି ସଂଘର୍ଷ କରୁଥିବା ବେଳେ ମହାମାରୀ କରୋନା କଥା ଶୁଣି ଛାତିରେ ଛନକା ପଶି ଯାଇଥିଲା । ଭିଟାମାଟିକୁ ଫେରିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲୁ । ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ଯାନାବହାନା ସବୁ ବନ୍ଦ ହେଇଗଲା । ମାତ୍ର ଭିଟାମାଟିର ଡାକ ଓ ଜୀବନ ବଂଚାଇବା ଲୋଭରେ ଶହ ଶହ କିଲୋମିଟର ଦୂର ଚାଲି ଚାଲି ଅତିକ୍ରମ କଲୁ । ପ୍ରଚଣ୍ଡ ଖରାରେ ଅଖିଆ ବାଟ ଚାଲୁଥିବା ବେଳେ ପ୍ରାଣ ଛାଡ଼ିଯିବା ଭଳି ଲାଗୁଥିଲା । ଯନ୍ତ୍ରଣା କମାଇବା ପାଇଁ ପେନ୍ କିଲେର୍ ଖାଇବାକୁ ପଡ଼ୁଥିଲା । ତେବେ ଭିଟାମାଟିର ମୋହ ଓ ଆତ୍ମୀୟସ୍ୱଜନଙ୍କ ମୁହିଁ କଥା ଭାବି ସିକନ୍ଦରାବାଦ୍ରୁ ଚାଲି ଚାଲି ପହଂଚି ଯାଇଥିଲୁ ବାରିପଦାରେ । ଏବେ ମଧ୍ୟ କରୋନା ଭୟ ମନରୁ ଯାଇନି । କିନ୍ତୁ ପୋଡି ଯାଉଛି ପେଟ । କରୋନା କଷଣଠାରୁ ବଳେଇ ପଡ଼ିଛି ଭୋକର ଜ୍ୱାଳା । ସେଠି କାମ କଲେ, ହୁଏତ କରୋନାର ଶିକାର ହୋଇପାରୁ କିନ୍ତୁ ଏଠି ରହିଲେ ଭୋକରେ ନିଶ୍ଚୟ ମରିଯିବୁ । ୪ ମାସ ତଳେ ସିକନ୍ଦରାବାଦରୁ ବାରିପଦାରୁ ଚାଲିଚାଲି ପଳେଇ ଆସିବା ପରେ ପୁଣି ନିଜ କମ୍ପାନିକୁ ଫେରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ଯାଉଥିବା ବେଳେ ମୁନା ମାଝି ବଖାଣିଛନ୍ତି ନିଜ ଅନ୍ତରର ଏହି ଅକୁହା କଥା । ମୁନା ମାଝିଙ୍କ ଏହି କାହାଣୀ କେବଳ ମାତ୍ର ଏକ ନମୁନା ତାଙ୍କ ଭଳି ଶହ ଶହ ବ୍ୟକ୍ତି ୪ ମାସରୁ ଅଧିକ ସମୟ ହେଲା ଘରେ ବସି ରହିବା ପରେ ଏବେ ପୁଣି ନିଜ ନିଜ କର୍ମସ୍ଥଳୀକୁ ବାହୁଡି ଯାଇଛନ୍ତି । ଆହୁରି ଅନେକ କର୍ମସ୍ଥଳକୁ ଯିବା ପାଇଁ ସଜବାଜ ହେଉଛନ୍ତି । କରୋନାର କୋପ ବଢ଼ି ଚାଲିଥିଲେ ହେଁ ଭୋକର ଦାଉ ଅସହ୍ୟ ହୋଇ କଡ଼ିଛି । ଆଉ ସମ୍ଭାଳିବା ସ୍ଥିତିରେ ନାହାନ୍ତି ଶ୍ରମଜୀବୀ । ଚାଉଳ, ଡାଲି ସିନାମିଳିଯାଉଛି, ହେଲେ ଗୋଟେ ପରିବାରର ଅନ୍ୟନ୍ୟ ଖର୍ଚ୍ଚ ଆସିବ କୁଆଡ଼ୁ ଅନ୍ୟ ପକ୍ଷରେ ଶିଳ୍ପାନୁଷ୍ଠାନ ସବୁ ଖୋଲିଯାଇଥିବାରୁ ସେମାନଙ୍କ ମନରେ ଆଶା ସଂଚାର ହୋଇଛି ବୋଲି ଶ୍ରମିକମାନେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଳ୍ପ କିଛି ଶ୍ରମିକ ଯେତିକି ବି ସଂଚୟ କରିଥିଲେ ତାହା ସେମାନଙ୍କ ହାତରୁ ସରି ଆସିଲାଣି । ଏଣୁ ଅନେକ ଶ୍ରମିକଙ୍କ ହାତ ଉଧାରି ବଢ଼ିଯିବା ପରେ ସେମାନଙ୍କୁ ଚିନ୍ତା ଗ୍ରାସିଛି । ତେରୁ କର୍ମ ସଂସ୍ଥାନକୁ ଫେରିବାକୁ ସେମାନେ ବାଧ୍ୟ ହେଉଛନ୍ତି । ଶ୍ରମିକ ନେତା କାନୁନ୍ଗୋଙ୍କ କହିବା କଥା, ରାଜ୍ୟରେ ଚିନି କଳଠୁ ନେଇ ଶିବା ପେପର ମିଲ୍ ଭଳି କାରଖାନା ସବୁ ବନ୍ଦ ହୋଇ ପଡ଼ିଛି । ମାତ୍ର ଏସବୁ ଚାଲୁ କରିବା ପାଇଁ ସରକାର ଚିନ୍ତା କରିନାହାନ୍ତି । ତେଣୁ ଯେଉଁମାନେ ବି କରୋନା ଯୋଗୁଁ ଫେରି ଆସିଥିଲେ ସେମାନଙ୍କ ପାଇଁ ଏଠାରେ କାମ କରିବାର ସୁଯୋଗ ନାହିଁ । ଫଳରେ ସେମାନେ ବାହାର ରାଜ୍ୟର କମ୍ପାନିଗୁଡ଼ିକୁ ଫେରିଯିବାକୁ ଶ୍ରେୟ ମଣୁଛନ୍ତି । ଏକ ସର୍ବେକ୍ଷଣ ମୁତାବକ ରାଜ୍ୟର ୭୧ ପ୍ରତିଶତ ଲୋକ ଭିଟାମାଟିର ମୋହ ଛାଡ଼ି ପୁଣି ଅନ୍ୟ ରାଜ୍ୟକୁ ଖଟିବାକୁ ଚାଲିଯିବାକୁ ପ୍ରସ୍ତୁତ ହେଲେଣି ଏବଂ ଅନେକ ଚାଲିଗଲେଣି । ତେଣୁ ଓଡ଼ିଶା ସରକାର ସେମାନଙ୍କୁ ନିଯୁକ୍ତି ଦେଇପାରୁନଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି ।