ଭୁବନେଶ୍ୱର: ରଥ ଯାତ୍ରାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନଫୋଭାଲୀରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ର ଏବଂ ଅନ୍ୟଟି ହେଉଛି ବାଗଚି-କରୁଣାଶ୍ରୟ ପଲିଏଟିଭ୍ କେୟାର ସେଂଟର । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ପତ୍ନୀ ସୁସ୍ମିତା ବାଗଚି ଏହି ଦୁଇଟି ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଟଙ୍କା ଦାନ କରିଛନ୍ତି । ଭୁବନେଶ୍ୱରରେ ଶ୍ରୀ ଶଙ୍କର ଫାଉଣ୍ଡେସନ ୭୫୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନା ଖୋଲିବାକୁ ଥିବା ବେଳେ ବେଙ୍ଗାଲୁରୁ ଭିତିକ ଡାକ୍ତରଖାନା ଫାଉଣ୍ଡେସନ ଦ୍ୱାରା ପଲିଏଟିଭ୍ କେୟାର ୟୁନିଟରେ ୧୧୦ ଶଯ୍ୟା ରହିବ ଏବଂ ମାଗଣା ସେବା ଯୋଗାଇବ । ଉଭୟ ପ୍ରକଳ୍ପ ବିଶ୍ୱ ସ୍ତରୀୟ କର୍କଟ ଏବଂ ପଲିଏଟିଭ୍ କେୟାର ସୁବିଧା ପ୍ରଦାନ କରିବ । ଏହାଦ୍ୱାରା ଭୁବନେଶ୍ୱର କର୍କଟ ଚିକିତ୍ସା ଏବଂ ପଲିଏଟିଭ୍ ସେବାରେ ଦେଶର ଏକ ଅଗ୍ରଣୀ କେନ୍ଦ୍ର ହୋଇପାରିବ । ଏହି ଅବସରରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉଭୟ ଅନୁଷ୍ଠାନ ଓଡିଶାର ରୋଗୀଙ୍କୁ ବିଶେଷ କରି ଗରିବ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁବିଧା ପାଇବାରେ ସାହାଯ୍ୟ କରିବ । ସେ କହିଛନ୍ତି ଯେ ଲୋକଙ୍କ ସେବା କରିବା ପାଇଁ ଏହାର ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ।