୮ମ କଳିଙ୍ଗନଗର ପୁସ୍ତଳ ମେଳା ୨୦୨୩ ଡିସେମ୍ବର ୧୪ ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ

ବ୍ୟାସନଗର : ୮ମ କଳିଙ୍ଗନଗର ପୁସ୍ତକ ମେଳା ୨୦୨୩ ଆସନ୍ତା ଡିସେମ୍ବର ୧୪ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବ୍ୟାସନଗରସ୍ଥିତ କାଳୀ ମେଳଣ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ଭୀମସେନ ପ୍ୟାଲେସ ଠାରେ କଳିଙ୍ଗନଗର ପୁସ୍ତକ ମେଳା କମିଟିର ଏକ ପ୍ରସ୍ତୁତୀ ବୈଠକରେ ସ୍ଥିରୀକୃତ ହୋଇଛି । ଉକ୍ତ ସଭାରେ କମିଟିର ସଭାପତି ବିଦ୍ୟାଧର ମହାନ୍ତି ସଭାପତିତ୍ୱ କରିଥିବାବେଳେ ସାଧାରଣ ସଂପାଦକ ଡ. କୁଶଚନ୍ଦ୍ର ପ୍ରଧାନ ଗତ ୨୦୨୨ ପୁସ୍ତକ ମେଳାର ବିବରଣୀ ପ୍ରଦାନ କରିଥଲେ ଓ ୨୦୨୩ ପୁସ୍ତକ ମେଳା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ବୈଠକରେ କମିଟିର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଗାମୀ ୨୦୨୩ ପୁସ୍ତକ ମେଳା କିପରି ସୂଚାରୂ ରୂପେ ଓ ସଫଳ ଭାବେ ସଂଗଠିତ ହୋଇପାରିବ ତାହା ବିଷଦ ଭାବେ ଆଲୋଚନା କରିଥିଲେ । କମିଟିର ମୁଖ୍ୟ ଉପଦେଷ୍ଟା ସବିତା ରାଉତ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମହାନ୍ତି, ଉପଦେଷ୍ଟା ଅଭିମନ୍ୟୁ ମିଶ୍ର,  ଉପସଭାପତି ହୃଷିକେଶ ସାହୁ ଓ ଡ. ଅକ୍ଷୟ କୁମାର ପଣ୍ଡା, ସଂପାଦକ ପବିତ୍ର ରଂଜନ ମହାନ୍ତି, ଯୁଗ୍ମ ସଂପାଦକ ଜ୍ଞାନରଂଜନ ରାଉତ, ସଭ୍ୟ ପ୍ରଦ୍ୟୁମ୍ନ କୁମାର ବୋଇତେଇ ଓ ବୀରକିଶୋର ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।  ଆଗାମୀ ପୁସ୍ତକ ମେଳାକୁ ସୁନାମଧନ୍ୟ ପୁସ୍ତକ ବିକ୍ରେତା ଓ ପୁସ୍ତକ ପ୍ରକାଶକମାନଙ୍କୁ ନିମନ୍ତ୍ରଣ କରାଯିବ, ଏ ସଂକ୍ରାନ୍ତରେ ଯାଜପୁର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କଳିଂଗନଗର ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ପୋଲିସ ଅଧିକାରୀ , ବିଦ୍ୟୁତ ବିଭାଗ ଅଧିକାରୀ, ଅଗ୍ନିଶମ ଅଧିକାରୀ, ତହସିଲଦାର, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ,  ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ବିଭିନ୍ନ ବ୍ଲକ୍‌ର ବ୍ଲକ୍ ଶିକ୍ଷାଧିକାରୀ ପ୍ରମୁଖଙ୍କୁ ସେମାନଙ୍କର ସହଯୋଗ ପାଇଁ ତୁରନ୍ତ ଅବଗତ କରାଯିବ । ଏପରିକି ଦାନଗଦୀ,ସୁକିନ୍ଦା, କୋରେଇ, ରସୁଲପୁର ବ୍ଲକ୍ ଓ ବ୍ୟାସନଗର ପୌର ପରିଷଦର ସମସ୍ତ କଲେଜ ଓ ସ୍କୁଲ ତଥା ସାହିତ୍ୟାନୁଷ୍ଠାନ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ତଥା ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଅବଗତ କରାଯାଇ ପୁସ୍ତକ ମେଳାରେ କିପରି ଛାତ୍ର-ଶିକ୍ଷକ  ଓ ପାଠକ- ପାଠିକା ବହୁସଂଖ୍ୟାରେ ଯୋଗ ଦେଇ ପୁସ୍ତକ କ୍ରୟ କରିବେ ସେଥିପାଇଁ ସେମାନଙ୍କୁ ଚିଠି ମାଧ୍ୟମରେ ନିମନ୍ତ୍ରଣ କରାଯିବ । ପୁସ୍ତକ ମେଳା ୨୦୨୩ର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଯଥା ସ୍ମରଣିକା କମିଟି, ଅର୍ଥ କମିଟି, ସାଂସ୍କୃତିକ କମିଟି, ଅତିଥି ଯୋଗାଯୋଗ କମିଟି, ପୁସ୍ତକ ବିକ୍ରେତା ଓ ପ୍ରକାଶକ ଯୋଗାଯୋଗ କମିଟି, ମିଡ଼ିଆ ସେଲ୍ କମିଟି, ପୁସ୍ତକ ଷ୍ଟଲ ଓ ଟେଂଟ୍ କମିଟି ପ୍ରଭୃତି ଗଠନ କରାଯାଇ ସେଗୁଡ଼ିକର ମୁଖ୍ୟମାନଙ୍କୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାପାଇଁ ପ୍ରସ୍ତାବ ରଖାଯାଇଥିଲା । ଏ ଅଂଚଳର ସମସ୍ତ ବୁଦ୍ଧିଜୀବୀ, ଲେଖକ ଲେଖିକା, ପାଠକ-ପାଠିକା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ  କମିଟିର ସଭାପତି ବିଦ୍ୟାଧର ମହାନ୍ତି ଓ ସାଧାରଣ ସଂପାଦକ ଡ. କୁଶଚନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଶେଷରେ କୋଷାଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fourteen + 9 =