ଭୁବନେଶ୍ୱର: ଷଣ୍ଢ ଦେହରେ ଧକ୍କା ହୋଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭଳି ଘଟଣା ଅଭାବନିୟ ଘଟଣା ଘଟିଛି ଫୁଲନଖରା-ନିଆଳି ରାସ୍ତାରେ । ମୃତ ବ୍ୟକ୍ତି ଜଣକ ହେଲେ ଅଢାଳିଆର ଶଙ୍କର୍ଷଣ ସାହୁ (୫୦) । ଆହତଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ । ରବିବାର ରାତି ପ୍ରାୟ ୧୦ଟା ସମୟରେ ଶଙ୍କର୍ଷଣ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଶୋଇଥିବା ଷଣ୍ଢକୁ ଦେଖିପାରି ନଥିଲେ । ଫଳରେ ବାଇକଟି ଷଣ୍ଢ ଦେହରେ ଧକ୍କା ହୋଇଥିଲା ।ଶଙ୍କର୍ଷଣ ବାଇକରୁ ଛିଟିକି ଡିଭାଇଡରରେ ପିଟି ହୋଇଯାଇଥିଲେ ।ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସ୍ଥାନୀୟ ଦୋକାନୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ତେବେ କୋଭିଡ ଆଳ ଦେଖାଇ ହସ୍ପିଟାଲ କର୍ତୁପକ୍ଷ ଚିକିତ୍ସା ନ କରି ଫେରାଇ ଦେଇଥିଲେ । ପରିବାରେ ଲୋକେ ଅନ୍ୟ ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ ମଧ୍ୟ ସେଠାରେ ଅନୁରୂପ ବାହାନା ଦେଖାଇ ଫେରାଇ ଦେଇଥିଲେ । ପରିବାର ଲୋକେ ନିରାଶ ହୋଇ ଶେଷରେ ତାଙ୍କୁ ବଡ ମେଡିକାଲକୁ ନେଇଥିଲେ । ହେଲେ ପ୍ରଚୁର ରକ୍ତସ୍ରାବ ଓ ଚିକିତ୍ସା ଅଭାବରୁ ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ଘଟଣାର ଏକ ଘଂଟା ପରେ ଦୁଇଜଣ ଯୁବକ ବାଇକରେ ଆସୁଥିବା ବେଳେ ସମାନ ସ୍ଥାନରେ ଆଉ ଏକ ଷଣ୍ଢ ସହ ଧକ୍କା ହୋଇଥିଲା । ଆହତଙ୍କୁ ଉଦ୍ଧାର କରି ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏହିଥିରେ ପ୍ରକାଶ ଯେ. ଫୁଲନଖରା ଛକଠାରୁ ତ୍ରିନାଥ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ରାତିରେ ଶତାଧିକ ବୁଲା ଗୋରୁ ଓ ଷଣ୍ଢ ଶୋଇ ରହୁଛନ୍ତି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ବିଏମସି ଓ ସିଏମସି କର୍ତୁପକ୍ଷ ସହରର ବୁଲା ଗୋରୁ,ଷଣ୍ଢ ଓ କୁକୁରଙ୍କୁ ଧରି ବିଳମ୍ବିତ ରାତିରେ ନଖରା ସମେତ ଆଖପାଖ ଗ୍ରାମାଂଚଳରେ ଆଣି ଛାଡି ଦେଉଛନ୍ତି । ବୁଲା ଗୋରୁଗାଈ ବିଲରେ ପଶି ଫସଲ ନଷ୍ଟ କରିବା ସହ ରାସ୍ତାରେ ଦୁର୍ଘଟଣାର କାରଣ ପାଲଟିଛନ୍ତି । ପୂର୍ବରୁ ମଧ୍ୟ ବୁଲା କୁକୁର ଓ ଷଣ୍ଢ ଯୋଗୁ ଦୁର୍ଘଟଣା ଘଟି ମୃତାହତ ହୋଇଥିବାର ନଜିର ଆସିଛି । ସହରରୁ ବୁଲା ଜୀବଜନ୍ତୁଙ୍କୁ ଆଣି ଏଠାରେ ଛାଡିବା ବନ୍ଦ ନ କଲେ ବାଧ୍ୟ ହୋଇ ଆଇନକୁ ହାତକୁ ନେବେ ବୋଲି ସ୍ଥାନୀୟ ଲୋକେ ଚେତାବନି ଦେଇଛନ୍ତି ।