ଭୁବନେଶ୍ୱର: ସଡକ ଦୁର୍ଘଟଣା ବିଶେଷ କରି ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ସତ ହେଲେ ତାର କିଛି ସୁଫଳ ମିଳି ପାରୁ ନାହିଁ । ଏହିଭଳି ଏକ ଅଭାବନୀୟ ଦୁର୍ଘଟଣାର ଶୀକାର ହୋଇ ଅମିତ କଲେଜର ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଘଟଣାରୁ ପ୍ର୍୍କାଶ ଯେ, ଖୋର୍ଦ୍ଧାସ୍ଥିତ ଅମିତ କଲେଜ ମାନବ ସମ୍ବଳ ବିଭାଗର ସହଯୋଗୀ ସଂଯୋଜକ ଶୁଭ୍ରଜିତ ପଟ୍ଟନାୟକ ନିଜ ଆକ୍ଟିଭା ସ୍କୁଟର (ଓଡି ୩୪ବି ୮୫୬୩)ରେ ରବିବାର ଭୁବନେଶ୍ୱରରୁ ନିଜ ଗ୍ରାମ ବଡଚଣା-ଚଣ୍ଡିତଳକୁ ଯାଉଥିଲେ । ଦିନ ପ୍ରାୟ ୪ଟାବେଳେ ପଛରୁ ଦୃତ ଗତିରେ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ବ୍ୟକ୍ତି ଅବିନାଶ ମହାପାତ୍ର ଏବଂ ସୁରେନ୍ଦ୍ର ନାୟକ ଶୁଭ୍ରଜିତଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଇଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକର ଅଶ୍ୱିନି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଶୁଭ୍ରଜିତଙ୍କ ବାମ ପଟ କପାଳ ଫାଟି ଯିବା ସହ ଶରୀରର ଅଧିକାଂଶ ସ୍ଥାନରେ ଆଘାତ ଲାଗିଛି । ଦୁର୍ଘଟଣାର ୬ଘଂଟା ପର୍ଯ୍ୟନ୍ତ ସେ ଅଚେତ ଅବସ୍ଥାରେ ରହିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ଅନ୍ୟପଟେ ତାଙ୍କୁ ଏକ ଟ୍ରଲର ଟ୍ରକ ବାଡେଇଥିବା ପ୍ରତ୍ୟକ୍ଷଦର୍ଶୀ ସୁଚନା ଦେଇଛନ୍ତି । ଦୁର୍ଘଟଣା ପରେ ସେ ଟ୍ରକଟି ଫେରାର ହୋଇଯାଇଛି । ଅମିତ କଲେଜର ମ୍ୟାନେଜିଂ ଟ୍ରଷ୍ଟି ତଥା ନ୍ୟାୟବତୀର ସଂପାଦକ ଅଧିପ ନାରାୟଣ ମହାନ୍ତି ଏବଂ ଅନ୍ୟ ସହକର୍ମୀମାନେ ଡାକ୍ତରଖାନା ଯାଇ ଶୁଭ୍ରଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।