ଭୁବନେଶ୍ୱର: ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍ । ପ୍ରଥମ ଦିନରେ ଅଧିକାଂଶ ହଲ୍ ଫାଙ୍କା ରହିଥିବାର ଦେଖିବାକୁ ମିଳିଥିଲା । ତେବେ କୋଭିଡ ଯୋଗୁ ଏବେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ମାର୍ଗନର୍ଶିକା ଥିବା ବେଳେ ସେତିକି ବି ଦର୍ଶକ ହେଲେନି । ପ୍ରଥମ ଶୋ’ ରେ ଅନ୍ୟ ଅନ୍ୟ ଶୋ’ ଅପେକ୍ଷା ଅଧିକ ଦର୍ଶକ ହୋଇଥିଲେ । ସିନେମା ହଲ୍ ପରିଚାଳକଙ୍କ କହିବା ଅନୁସାରେ ଇଂରାଜୀ ଚଳଚ୍ଚିତ୍ର ଯୋଗୁଁ ଦର୍ଶକ ଆସିଲେନି । କରୋନା ଭୟ ବି ରହିଛି । ତେବେ ଆସନ୍ତା ରବିବାର ଛୁଟି ଦିନରେ ଦର୍ଶକ ହେବେ ବୋଲି ଆଶା ରହିଛି । ଆମକୁ ଆହୁରି ୬ମାସ ସଂଘର୍ଷ କରିବାକୁ ପଡିବ ବୋଲି କହିଛନ୍ତି କେଶରୀ ହଲ୍ ମାଲିକ ରବିନ୍ଦ୍ର ବାବୁ । ତେବେ ମନ ମୋହିଲାନି ଇଂରାଜୀ ଚଳଚ୍ଚିତ୍ର ୱଣ୍ଡର ୱିମେନ । ଆଜି ରାଜଧାନୀରେ ଦୁଇଟି ସିନେମା ହଲ୍ ମହାରାଜା ଏବଂ କେଶରୀରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ବୈଷୟିକ ତ୍ରୁଟି ଯୋଗୁ ସ୍ତୁତି ଶେଷ ମୁହୂର୍ତରେ ଓହରି ଯାଇଥିଲା ।ଶନିବାର ଠାରୁ ଖୋଲିବା ପ୍ରକ୍ରିୟାରେ ଏହି ହଲ୍ ସାମିଲ ହେବ । ତେବେ ପ୍ରଥମ ଦିନରେ ସିନେମା ହଲ୍ ପକ୍ଷରୁ କୋଭିଡ ନିୟମ କଡାକଡି ପାଳନ କରାଯାଇଥିଲା । ସାମାଜିକ ଦୁରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା । ପରିଚାଳକ ଲିଙ୍ଗରାଜ ପଣ୍ଡା କହିଛନ୍ତି, ଯେମିତି ହେଲେ ଆମକୁ ହଲ୍ ଚଲେଇବାକୁ ପଡିବ । ଦର୍ଶକ ହେବେ ଏଥିରେ ସନେ୍ଦହ ନାହିଁ କିନ୍ତୁ ଟିକେ ବିଳମ୍ବ ହେବ । ଉଭୟ ହଲ୍ରେ ପ୍ରଥମ ଦିନରେ ପ୍ରାୟ ୩୦୦ ଦର୍ଶକ ଚଳଚ୍ଚିତ୍ର ଦେଖିଥିବା ଜଣାପଡିଛି ।