ଭୁବନେଶ୍ବର: ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍(ଏମ୍ସିଏଲ୍) ବୋର୍ଡ ଦେଇଥିବା ଅନୁମୋଦନ ଅନୁଯାୟୀ ଅନୁଗୋଳ ଓ ସୁନ୍ଦରଗଡ଼ରେ 2ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏନେଇ କେନ୍ଦ୍ରୀୟ କୋଇଲା ଓ ଖଣୀମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଗତ ବର୍ଷ ସେପ୍ଟେମ୍ବର 20ରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୁନ୍ଦରଗଡ଼ର ଲୋକସଭା ଏମ୍ପି ଜୁଏଲ୍ ଓରାମ,ବରଗଡ଼ ଏମ୍ପି ସୁରେଶ ପୂଜାରୀ ଓ ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କ ପତ୍ର ଆଧାରରେ କୋଇଲା ଓ ଖଣିମନ୍ତ୍ରୀ ଯୋଶୀଙ୍କୁ ପତ୍ର ଲେଖି ଏମ୍ସିଏଲ୍ ଦ୍ବାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳରେ 3ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିଥିଲେ । ଯାହା ଫଳରେ ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ । ପ୍ରଧାନଙ୍କ ପତ୍ରର ପ୍ରତି-ଉତ୍ତରରେ ଯୋଶୀ ପତ୍ର ଲେଖିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରାରେ ଓ ଅନୁଗୋଳ ଜିଲ୍ଲାର ଜଗନ୍ନାଥ ଓ ସୁଭଦ୍ରା ଅଞ୍ଚଳରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଏମ୍ସିଏଲ୍ ବୋର୍ଡ଼ ଅନୁମୋଦନ ଦେଇଛନ୍ତି ।