ବଲାଣି: କେନ୍ଦୁଝର ଜିଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କିରିବୁରୁ ଥାନା ଅଞ୍ଚଳରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍ର ମେଘାହାତୁବୁରୁ ଖଣିରେ ଦୁର୍ଘଟଣା ଘଟିଛି। ରାତିରେ ଖଣିର ପ୍ରଡକ୍ସନ ଚାଲିଥିବା ବେଳେ ହପ୍ପରରେ ଥିବା ଷ୍ଟପରରେ ମାଟି ଭାରି ରହିଥିବାରୁ ୧୦୦ ଟନ ବିଶିଷ୍ଟ ଏକ ଡମ୍ପର ଓଲଟି ତଳକୁ ଖସି ପଡ଼ିଥିଲା। ଏଥିରେ ଅପରେଟର ପ୍ରହଲ୍ଲାଦ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମେଘାହାତୁବୁରୁ ଖଣି କର୍ତ୍ତୃପକ୍ଷଙ୍କ ଦ୍ୱାରା ଖଣି ସୁରକ୍ଷା ଆଇନକୁ ଅବମାନନା କରି ଉତ୍ତୋଳନ କାର୍ଯ୍ୟ କରାଯାଉଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ କର୍ମଚାରୀମାନେ ଡାକ୍ତରଖାନା ପରିସରରେ ଆନ୍ଦୋଳନ କରିଥିଲେ। ଖଣି କର୍ତ୍ତୃପକ୍ଷ ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କିନ୍ତୁ ଖଣି ସୁରକ୍ଷା ଆଇନ ପାଳନ କରିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି।