ଅନ୍ୟ ରାଜ୍ୟକୁ ମୋଟ୍‌ ୬୭ଟି ଅକ୍ସିଜେନ୍‌ ଟ୍ୟାଙ୍କର ପଠାଇ ସାରିଲାଣି ଓଡ଼ିଶା

ଭୁବନେଶ୍ବର: କରୋବା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ରୂପ ନେଇଥିବା ବେଳେ ଦେଶରେ ଅକ୍ସିଜେନ୍‌ ଅଭାବ ବୁଝ ଉପରେ ନଳିତା ବିଡ଼ା ସାଜିଛି । ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ପାଇଁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏପରି ସ୍ଥଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇଛି । ଏଯାବତ୍‌ ଓଡ଼ିଶା ମୋଟ୍‌ ୬୭ଟି ଅକ୍ସିଜେନ୍‌ ଟ୍ୟାଙ୍କର ବିଭିନ୍ନ ରାଜ୍ୟକୁ ପଠାଇ ସାରିଲାଣି । ଏନେଇ ଓଡ଼ିଶା ପୋଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଯାଜପୁର, ଢ଼େଙ୍କାନଳ ଓ ଅନୁଗୁଳରୁ ୬୭ଟି ଟ୍ୟାଙ୍କରରେ ମୋଟ୍‌ ୧୨୬୮  ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ପଠା ଯାଇଛି । ଏହି ରାଜ୍ୟ ମାନଙ୍କରେ ଅକ୍ସିଜେନ୍‌ ଅଭାବ କାରଣରୁ ରୋଗୀଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ତେବେ କିପରି ଅକ୍ସିଜେନ ଟ୍ୟାଙ୍କର ଗୁଡ଼ିକ ସୁରୁଖୁରୁରେ ପହଞ୍ଚିପାରିବ ସେଥିପାଇଁ ପୋଲିସ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କର୍ଡନ କରି ଗନ୍ତବ୍ୟ ସ୍ଥଳକୁ ଛଡ଼ାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଏଡିଜି ଯଶୋବନ୍ତ ଜେଠଓ୍ବାଲଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇ ଅକ୍ସିଜେନ୍‌ ଟ୍ୟାଙ୍କର ଗୁଡ଼ିକୁ ସୁରକ୍ଷିତ ଭାବେ ପ୍ଲାଣ୍ଟରୁ ଆବଶ୍ୟକ ସ୍ଥଳରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.

1 × 5 =