ଟିଏମ୍‌ସିର ୨ମନ୍ତ୍ରୀଙ୍କ ସହ ୪ ନେତା ଗିରଫ

କୋଲକାତା: ବହୁ ଚର୍ଚ୍ଚିତ ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗର ଦୁଇଜଣ ବରିଷ୍ଟ ମନ୍ତ୍ରୀ ଫିରହାଦ୍ ହକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ତଥା ଟିଏମ୍‌ସିର ପୂର୍ବତନ ନେତା ଶୋଭନ ଚାର୍ଟାଜୀଙ୍କୁ ସିବିଆଇ ଆଜି ଗିରଫ କରିଛି । ସିବିଆଇର ଏହି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ରାଜନୈତିକ ପ୍ରଣୋଜିତ ଏବଂ ବିଜେପିର ପ୍ରତିହିଂସା କାର୍ଯ୍ୟ ବୋଲି ଦର୍ଶାଇବା ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଆହ୍ୱାନ ଦେଇଛନ୍ତି । ସୁଶ୍ରୀ ବାନାର୍ଜୀ ଆଜି କୋଲକାତାର ନିଜାମ ପ୍ୟାଲେସ୍‌ରେ ଥିବା ସିବିଆଇର କାର୍ଯ୍ୟାଳୟରେ ପହଞ୍ଚି ସିବିଆଇକୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ସେ ହଟିବେ ନାହିଁ ବୋଲି ସେ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଦଳର ୩ଜଣ ବରିଷ୍ଠ ନେତା ତଥା ମନ୍ତ୍ରୀଙ୍କୁ ଗିରଫ ଘଟଣାର ପ୍ରତିବାଦ କରି ଆଜି ହଜାର ହଜାର ତୃଣମୂଳ ସମର୍ଥକ ସିବିଆଇ କାର୍ଯ୍ୟାଳୟ ଘେରାଉ କରିବା ସଙ୍ଗେ ସଙ୍ଗେ ଟେକା ମାଡ କରିଛନ୍ତି । ତେବେ ଉତ୍ୟକ୍ତ ଜନତାଙ୍କୁ ଘଉଡାଇବା ଲାଗି ପୋଲିସ୍ ଲାଠି ଚାଳନା କରିଥିବା କୁହାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଆଇ କାର୍ଯ୍ୟାଳୟରେ ବ୍ୟାପକ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହୀନି ଯବାନକୁ ମୃତୟନ କରାଯାଇଛି । ‘ନାରଦ ମାମଲା’ରେ ଚାର୍ଜସିଟ୍ ଦାଖଲ କରିବା ଲାଗି ‘ସିବିଆଇ’ ଟିମ୍ ବଙ୍କଶାଳ ଅଦାଲତରେ ପହଞ୍ଚିଛି ।
ସୂଚନା ଯୋଗ୍ୟ ଯେ, ନାରଦ ଲାଞ୍ଚ ମାମଲାରେ ସିବିଆଇ’ଟିମ୍ ଆଜି ସକାଳେ ହଠାତ୍ ଏକସଙ୍ଗରେ ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ନେତାଙ୍କ ଘରେ ଚଢାଉ କରି ସେମାନଙ୍କୁ ଉଠାଇ ନେଇଥିଲା । ସେମାନଙ୍କୁ ବ୍ୟାପକ ଜେରା ପରେ ସିବିଆଇ ଗିରଫ କରିଥିବା ଘୋଷଣା କରିଥିଲା ।
ନାରଦ ଷ୍ଟିଙ୍ଗ ଅପରେସନ୍ ମାମଲାରେ ତୃଣମୂଳ କଂଗ୍ରେସର ଏହି ନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଳ୍ପ କିଛି ଦିନ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ‘ସିବିଆଇ’କୁ ଅନୁମତି ଦେଇଥିଲେ । ସ୍ମରଣଯୋଗ୍ୟ, ୨୦୧୪ରେ ‘ନାରଦ ଲାଞ୍ଚ ଟେପ୍‌’ ରିଲିଜ୍ ହେବା ସମୟରେ ଚାରିଜଣ ପୂର୍ବତନ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିଲେ । ସେମାନେ ଲାଞ୍ଚ ଗ୍ରହଣ କରୁଥିବା ନାରଦ ନ୍ୟୁଜ୍ ପୋର୍ଟାଲ୍‌’ର ‘ଷ୍ଟିଙ୍ଗ ଅପରେସନ୍‌’ କ୍ୟାମେରାରେ ଉତୋଳିତ ହୋଇଥିଲା ।
ତୃଣମୂଳ କଂଗ୍ରେସ ସାଂସଦ ତଥା ଆଡଭୋକେଟ୍ କଲ୍ୟାଣ ବାନାର୍ଜୀ ମଧ୍ୟ ସିବିଆଇ’ ଅଫିସ୍‌ରେ ପହଞ୍ଚିଥିଲେ । କଲ୍ୟାଣଙ୍କ କହିବା ଅନୁସାରେ, ତାଙ୍କ ମନ୍ତ୍ରୀମାନଙ୍କୁ ଅଟକ ରଖିବା ବେଆଇନ୍ ବୋଲି କହିବା ସହ ତାଙ୍କୁ (ମମତା) ଗିରଫ କରିବା ଲାଗି ମୁଖ୍ୟମନ୍ତ୍ରୀ ‘ସିବିଆଇ’କୁ ଚାଲେଞ୍ଜ କରି କରିଛନ୍ତି । ତାଙ୍କୁ ଗିରଫ କରା ନଗଲେ ସେ ‘ସିବିଆଇ’ ଅଫିସରୁ ଘୁଞ୍ଚିବେ ନାହିଁ ବୋଲି କହିଛନ୍ତି ।
ପଶ୍ଚିମବଙ୍ଗ ବିଧାନସଭାରେ ବାଚସ୍ପତି ବିମାନ ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, କୌଣସି ବିଧାୟକଙ୍କୁ ଗିରଫ କରାଯିବା ପୂର୍ବରୁ ବାଚସ୍ପତିଙ୍କୁ ଖବର ଦିଆଯିବା ସହ ତାଙ୍କ ଅନୁମତି ଲୋଡାଯିବା କଥା । ଏ କ୍ଷେତ୍ରରେ ତାହା କରାଯାଇ ନାହିଁ ।
ଅନ୍ୟପକ୍ଷରେ ଏହି ମାମଲାରେ ତତ୍‌କାଳୀନ ଟିଏମ୍‌ସି ନେତା ତଥା ବର୍ତମାନର ବିଧାନସଭାର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାମ ଥିବାରୁ ତାଙ୍କୁ ଗିରଫ କରାନଯିବା ନେଇ ବିଭିନ୍ନ ମହଲରୁ ସିବିଆଇକୁ ନିନ୍ଦା କରାଯାଇଛି ।

Leave A Reply

Your email address will not be published.

sixteen − 1 =