ହାଇଦ୍ରାବାଦ: କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ହଜାର ୪୧୨ ଜଣ ହିତାଧିକାରୀ ଟିକା ନେଇଛନ୍ତି । ୩୩୨ଟି ଟିକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ୧୮ ହଜାର ୧୬୯, କର୍ଣ୍ଣାଟକରେ ୧୩ ହଜାର ୫୯୪ ଏବଂ ଗୁଜରାଟରେ ୧୦ ହଜାର ୭୮୭ ଜଣ ପ୍ରତିଷେଧକ ଟିକା ନେଇଛନ୍ତି । ଦେଶର ସମସ୍ତ ରାଚ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୩ ହଜାର ୩ ଶହ ୫୧ଟି କେନ୍ଦ୍ରରେ ଏକା ସମୟରେ ଏହି ଟିକାକରଣ ପ୍ରଦାନ କରାଯାଇଛି । ଦେଶବ୍ୟାପି ଏହି ଅଭିଯାନର ତଦାରଖ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଲଦାଖର ଇଣ୍ଡୋ ତିବତିଆନ ବର୍ଡର ପୋଲିସ ଆଟିବିପିର ପାଖାପାଖି ୨୦ ଜଣ ସ୍ୱାସ୍ଥ୍ୟକର୍ମୀ ଗତକାଲି କରୋନା ଟିକା ନେଇଛନ୍ତି । ଆଇଟିବିପିତର ମୁଖ୍ୟପାତ୍ର ବିବେକ କୁମାର ପାଣ୍ଡେ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କେତେକ ବୈଷୟିକ ତ୍ରୁଟି ଦେଖାଦେବାରୁ ସେଠାକାର ସରକାର ଟିକାକରଣ ଅଭିଯାନକୁ ଘୁୁଂଚାଇ ଦେଇଛନ୍ତି । ଆସନ୍ତା ମଙ୍ଗଳବାରଠାରୁ ପୁଣି ଥରେ ଟିକାକରଣ କାର୍ଯ୍ୟକ୍ରମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୮ ଦିନ ମଧ୍ୟରେ ରାଜ୍ୟର ୪ ଲକ୍ଷ ୪୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାପ୍ରଦାନ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।