ନୂଆଦିଲ୍ଲୀ: କୌଣସି ନାଗରିକଙ୍କର ଖର୍ଚ୍ଚ ଭରଣା କରିବାର ଦକ୍ଷତା ନୁହେଁ, ବରଂ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିଲେ ତାଙ୍କୁ ସରକାରଙ୍କ ତରଫରୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥାଏ ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶିଳ୍ପପତି ଅମ୍ବାନି ଭ୍ରାତା ଏବଂ ସେମାନଙ୍କ ପରିବାରକୁ ଦିଆଯାଇଥିବା ଜେଡ୍ ପ୍ଲସ୍ ସୁରକ୍ଷା ହଟାଇନେବାକୁ ହୋଇଥିବା ଏକ ଆବେଦନର ଶୁଣାଣି କରି ମାନ୍ୟବର ଅଦାଲତ ଏପରି ଟିପ୍ପଣୀ କରିଛନ୍ତି । ସେହିପରି ଯାହାର ଜୀବନ ପ୍ରତି ବିପଦ ରହିଥିବା ଏବଂ ସେ ଆବଶ୍ୟକ ଖର୍ଚ୍ଚ ଭରଣା ପାଇଁ ଇଚ୍ଛୁକ ଥିବେ ତାଙ୍କୁ ପୋଲିସ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇଦେବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ଅସହମତି ପ୍ରକାଶ କରିଛନ୍ତି । ଅମ୍ବାନି ଭ୍ରାତା ଓ ସେମାନଙ୍କ ପରିବାରକୁ ସରକାର ଯୋଗାଇ ଦେଇଥିବା ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ହଟାଇନେବାକୁ ଆବେଦନକାରୀ ହିମାଂଶୁ ଅଗ୍ରବାଲ ବମ୍ବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ।