ଋଣଗ୍ରହୀତା ଆଶ୍ୱସ୍ତ ହେବେ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାଲାଗି କେତେକ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ । କରୋନା ସଙ୍କଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାା ଅର୍ଥନୀତିର ଗତିକୁ ବଢ଼ାଇବା ଉପରେ ଜୋର ଦେବା ପରିବର୍ତେ ଦରଦାମ୍ ସ୍ଥିତି କିଭଳି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସେ ଅଧିକ ଧ୍ୟାନ ଦେଇଛନ୍ତି । ସେଥିପାଇଁ ରେପୋ ହାରକୁ ୪%ରେ ଅପରିବର୍ତିତ ରଖିବାକୁ ତାଙ୍କ ନେତୃତ୍ୱାଧୀନ ମୁଦ୍ରନୀତି କମିଟି(ଏମ୍ପିସି) ନିଷ୍ପତି ନେଇଛି । ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସାଧାରଣ ଜନତା, ଋଣ ନେଇଥିବା ଗ୍ରାହକ ଓ ବ୍ୟବସାୟ ଜଗତର ଚିନ୍ତାକୁ ଦୂର କରିବା ଲାଗି ଶକ୍ତିକାନ୍ତ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ସେ ମୋରାଟୋରିଅମ୍ ଅବଧି ବଢ଼ାଇ ନାହାନ୍ତି, କିନ୍ତୁ ଋଣକୁ ଏନ୍ପିଏ ହେବାରୁ ବଂଚାଇବା ଲାଗି ତାହାର ପୁନର୍ଗଠନ କରିବା ସୁଯୋଗ ଦେଇଛନ୍ତି । ତେବେ କରୋନା ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ନେଗେଟିଭ୍(ଋଣାତ୍ମକ) ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିବା ବେଳେ ମୁଦ୍ରସ୍ଫୀତି ଚିନ୍ତାର କାରଣ ହୋଇ ରହିବ ବୋଲି କହିଛି । କୃଷି ଭିନ୍ନ ଅନ୍ୟାନ୍ୟ କାର୍ଯ୍ୟ ଲାଗି ସୁନା ବନ୍ଧକ ରଖି ଲୋକମାନେ ଯେଉଁ ଋଣ ନେଉଥିଲେ ସେଥିରେ ଯୋଗ୍ୟ ଋଣ ରାଶିର ପରିମାଣ ବୃଦ୍ଧି କରାଯାଇଛି । ପୂର୍ବରୁ ଗ୍ରାହକ । ଯତିକି ମୂଲ୍ୟର ସୁନା ବନ୍ଧକ ରଖୁଥିଲେ ତାହାର ୭୫% ରାଶି ଋଣ ଆକାରରେ ପାଉଥିଲେ । କିନ୍ତୁ ଆଗକୁ ସେମାନେ ବନ୍ଧକ ସୁନା ମୂଲ୍ୟର ୯୦% ରାଶିକୁ ଋଣ ଭାବେ ପାଇବେ । ଏହି ସୁବିଧା ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିବ । ଏହା ଦ୍ୱାରା ଲୋକମାନେ ଘରେ ରଖିଥିବା ସୁନାକୁ ବନ୍ଧକ ରଖି ନିଜ ଆର୍ଥିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ଅଧିକ ଟଙ୍କାର ଋଣ ଭାବେ ଆଣିପାରିବେ । ତେଣୁ ଅତି ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ଆଉ ସୁନା ବିକ୍ରି କରିବା ଭଳି କଠିନ ନିଷ୍ପତି ନେବାକୁ ପଡ଼ିବ ନାହିଁ ।
ମୋଟା ଅଙ୍କର ଚେକ୍ କ୍ଲିୟରିଂ ପାଇଁ ନୂତନ ବ୍ୟବସ୍ଥା ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତି ନେଇଛି । ପଚାଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍ଗୁଡିକ କ୍ଲିୟର କରିବା ଲାଗି ‘ପଜିଟିଭ ପେ’ ବ୍ୟବସ୍ଥା ବିକଶିତ କରାଯିବ । ଏହି ବ୍ୟବସ୍ଥାରେ ବ୍ୟାଙ୍କକୁ ଚେକ୍ ଜାରି କରୁଥିବା ବ୍ୟକ୍ତି ଖାତା ନମ୍ବର, ଚେକ୍ର ମୂଲ୍ୟ, ଚେକ୍ ପାଇବାକୁ ଥିବା ବ୍ୟକ୍ତି ବା ସଂସ୍ଥାର ନାମ, ଚେକ୍ ନମ୍ବର, ଚେକ୍ ତାରିଖ ଇତ୍ୟାଦି ସୂଚନା ସହିତ ଚେକ୍ର ସାମ୍ନା ଓ ପଛ ପାଶ୍ୱର୍ର ଫଟୋଚିତ୍ର ଦେବେ । ଚେକ୍ଟି ପାଇଥିବା ବ୍ୟକ୍ତି ତାହାକୁ ଜମା କରିବା ବେଳେ ପୂର୍ବରୁ ବ୍ୟାଙ୍କ ପାଖରେ ଥିବା ସୂଚନା ସହ ତାହାକୁ ମେଳ କରାଯିବ । ଯିଦି ସବୁ ସୂଚନା ଠିକ୍ ଥିବ ତେବେ ଚେକ୍ କ୍ଲିୟର ହେବ । ଚେକ୍ ପେମେଂଟକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତି ନିଆଯାଇଛି ।
କରୋନା ସଙ୍କଟ ଲାଗି ଚାପରେ ଥିବା ଏମ୍ଏସ୍ଏମ୍ଇଗୁଡ଼କର ଚିନ୍ତା ଦୂର କରିବା ଲାଗି ସେମାନଙ୍କ ଋଣର ପୂନର୍ଗଠନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତି ନେଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଯେଉଁ ସଂସ୍ଥା ୨୫ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ନେଇଥିବେ ଓ ଖାତା ଏନ୍ପିଏ ବର୍ଗରେ ସାମିଲ ହୋଇନଥିବ, ସେଭଳି ସଂସ୍ଥାଗୁଡ଼ିକ ନେଇଥିବା ଋଣର ପୁନର୍ଗଠନ କରଯିବ । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ସମ୍ପାଦିତ ହେବ । ଋଣ ପୁନର୍ଗଠନ ସମୟରେ ସଂସ୍ଥା ଜିଏସ୍ଟିରେ ପଞ୍ଜୀକୃତ ହୋଇଥିବା ଦରକାର । ତେବେ ଜିଏସ୍ଟି ପଞ୍ଜୀକୃତ ହୋଇଥିବା ଦରକାର ତେବେ ଜିଏସ୍ଟି ପଞ୍ଜୀକରଣରୁ ଯେଉଁମାନଙ୍କୁ ଛାଡ଼ ଦିଆଯାିଛି । ସେମାନେ ମଧ୍ୟ ଏହି ବ୍ୟବସ୍ଥାର ଲାଭ ପାଇପାରିବେ ।
ବ୍ୟକ୍ତିଗତ ଋଣ ଠାରୁ ଆରମ୍ଭ କରି ଶିକ୍ଷା ଋଣ କିମ୍ବା ବାସଗୃହ ଋଣ ନେଇ ଯେଉଁ ଗ୍ରାହକମାନେ ତାହାକୁ ପରିଶୋଧ କରିପାରୁନାହାନ୍ତି, ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ଅତିରିକ୍ତ ସୁବିଧା ଦେଇଛନ୍ତି । ଖୁଚୁରା ଋଣଗୁଡ଼ିକର ପୁନର୍ଗଠନ କରିବା ନିଷ୍ପତି ନିଆଯାଇଛି । ସେୟାର କିଣିବା ଲାଗି ନିଆଯାଇଥିବା ଋଣ ଉପରେ ମଧ୍ୟ ଏହି ସୁବିଧା ମିଳିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

four × four =