ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କମିଟିରେ ନିଆଯାଇଥିବା ନିଷ୍ପତି ଓଡ଼ିଶାକୁ ବଡ଼ ଆଶା ଦେଖାଇଛି । ପ୍ରଥମତଃ ଦେଶରେ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରିପ୍)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୩୬ଟି ଡ୍ୟାମର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏଥିରେ କେଉଁ କେଉଁ ପ୍ରକଳ୍ପ ରହିଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏଥିସହିତ ଝୋଟ ଅଖାରେ ଖାଦ୍ୟାଶସ୍ୟ ରଖିବାକୁ କ୍ୟାବିନେଟ୍ ବୈଠକରେ ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ୱାରା ଚାଷୀମାନେ ଆଗାମୀ ଦିନରେ ଝୋଟ ଚାଷ କରିବାକୁ ଉତ୍ସାହିତ ହେବେ ବୋଲି ଆଶା ରଖାଯାଇଛି । ବନ୍ଦ ହୋଇ ଯାଇଥିବା ଝୋଟ ଶିଳ୍ପ ଗୁଡ଼ିକ ପୁନର୍ବାର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ଅନ୍ୟ କେତେକ ରାଗ୍ୟର କୋଟି କୋଟି ଝୋଟ ଚାଷୀ ଓ ଉପକୃତ ହେବେ । ଏଥିସହିତ ଝୋଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ୧୦୦ ପ୍ରତିଶତ ଖାଦ୍ୟାଶସ୍ୟ ଏବଂ ୮୦ ପ୍ରତିଶତ ଚିନି ଝୋଟ ବସ୍ତାରେ ରହିବ ବୋଲି ନିଷ୍ପତି ନିଆଯାଇଛି । କ୍ୟାବିନେଟରେ ନିଷ୍ପତି ଅନୁଯାୟୀ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରାପ୍)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଅଧୀନରେ ଦେଶର ୭୩୬ଟି ଡ୍ୟାମର ସୁରକ୍ଷା ଓ ପରିଚାଳନା କ୍ଷମତା ବୃଦ୍ଧି କରାଯିବ । ୧୦,୨୧୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ବିଶ୍ୱବ୍ୟାଙ୍କ ଓ ଏସୀୟ ଭିତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି)ରୁ ଏଥିପାଇଁ ସରକାର ୭୦୦୦ କୋଟି ଟଙ୍କା ଋଣ ଆଣିବେ । ଅବଶିଷ୍ଟ ୩୨୧୧ କୋଟି ଟଙ୍କା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଏଜେନ୍ସି ବହନ କରିବେ । ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୦୨୪ କୋଟି ଟଙ୍କା ଋଣ ଆକାରରେ ଏବଂ ୨୮୫ କୋଟି ଟଙ୍କା ନିଜର ଭାଗ ଆକାରରେ ପ୍ରଦାନ କରିବେ । ଦୁଇଟି ପର୍ଯ୍ୟାୟରେ ୧୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ପ୍ରକଳ୍ପ ଆରମ୍ଭ ହୋଇ ୨୦୩୧ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୭୩୬ଟି ଡ୍ୟାମ ବିକାଶ କାର୍ଯ୍ୟ ମଧ୍ୟରୁ ରାଜସ୍ଥାନର ସର୍ବାଧିକ ୧୮୯ଟି ପ୍ରକଳ୍ପ ଥିବା ବେଳେ ଏହା ପଛକୁ ମହାରାଷ୍ଟ୍ର ୧୬୭ଟି, ତାମିଲନାଡୁର ୫୯ଟି, ଉତର ପ୍ରଦେଶର ୩୯ଟି, ଓଡ଼ିଶାର ୩୬ଟି ଏବଂ ଆନ୍ଦ୍ର ପ୍ରଦେଶର ୩୧ଟି ପ୍ରକଳ୍ପ ରହିଛି । ଦେଶର ବର୍ତମାନ ୫୩୩୪ ବଡ଼ ଡ୍ୟାମ ଗୁଡିକ ଥିବା ବେଳେ ୪୧୧ ଡ୍ୟାମର ନିର୍ମାଣ କାର୍ଯ୍ୟ ବର୍ତମାନ ଜାରି ରହିଛି । ଏତଦ୍ବ୍ୟତୀତ ହଜାର ସଂଖ୍ୟାରେ ଛୋଟ ଡ୍ୟାମ ରହିଛି । ଭାରତରେ ଥିବା ଡ୍ୟାମଗୁଡ଼ିକ ଯୋଗୁଁ ବାର୍ଷିକ ୩୦୦ ବିଲିୟନ୍ ଘନ ମିଟର ଜଳ ସଂଚୟ କରାଯାଉଥିବାରୁ ଏହାର ସୁରକ୍ଷା ଓ ସଠିକ ପରିଚାଳନା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାର ବିଭିନ୍ନ ମାନର ଇଥାନଲ ମୂଲ୍ୟବୃଦ୍ଧିକୁ ଅନୁମତି ପ୍ରଦାନ କରିଛନ୍ତି । ରାଷ୍ଟ୍ରୟତ ତୈଳ କମ୍ପାନି ଗୁଡ଼ିକ ସି ବର୍ଗର ମୋଲାସେସରୁ ସଂଗୃହୀତ ଇଥାନନର ମୂଲ୍ୟ ଲିଟର ପିଛା ୪୩ ଟଙ୍କା ୭୫ ପଇସାରୁ ୪୫ ଟଙ୍କା ୬୯ ପଇସାକୁ ବୃଦ୍ଧି କରାଯାଇଛି । ସେହଭଳି ଅନ୍ୟ ଏକ ବର୍ଗର ଇଥାନଲ ମୂଲ୍ୟ ଲିଟର ପିଛା ୫୯ ଟଙ୍କା ୪୮ ପଇସାରୁ ୬୨ ଟଙ୍କା ପଇସାକୁ ବୃଦ୍ଧି କରାଯାଇଛି । ଇଥାନନ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ୨୦୨୦-୨୧ ଇଥାନଲ ଯୋଗାଣ ବର୍ଷ ପାଇଁ ଏହି ଦର ଧାର୍ଯ୍ୟ କରାଯାଇଛି । ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ।