କଳାହାଣ୍ଡିରେ ୧୬ ହଜାର ପ୍ରବାସୀ ଶ୍ରମିକ ଫେରିବା ପାଇଁ ନାମ ପଞ୍ଜିକରଣ

ଭବାନୀପାଟଣା: କରୋନା ଦ୍ୱିତୀୟ ଲହର ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ସଟଡାଉନ ଓ ଲକ୍ଡାଉନ୍ ମଧ୍ୟ ଜାରି କରାଯାଉଛି । ଏଭଳି ସ୍ଥିତିରେ ପୁଣି ଥରେ ବଢୁଛି ପ୍ରବାସୀ ଓଡିଆ ଶ୍ରମିକଙ୍କ ଦୁଃଖ । ଗତ ବର୍ଷର ଲକ୍ଡାଉନ ଭୟ ମନରୁ ଯାଇ ନଥିବା ବେଳେ ପୁଣି ଥରେ କାମ ହରାଇବା ଯୋଗୁଁ ଅନେକ ଘରମୁହାଁ ହେଲେଣି । ଯେଉଁମାନେ ନ ଆସି ରହିଯାଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନିଜ ଚାକିରି ହରାଇ ସାରିଛନ୍ତି । କଳାହାଣ୍ଡି ଜିଲ୍ଲାକୁ ଗତ ବର୍ଷ ୪୦ ହଜାରରୁ ଅଧିକ ପ୍ରବାସୀ ଫେରିଥିଲେ । କରୋନା ପରିସ୍ଥିତିରେ ସୁଧାର ଆସିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁଣିଥରେ ପ୍ରବାସୀ ଛତିଶଗଡ, ଆନ୍ଧ୍ରା, ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଫେରି ଯାଇଥିଲେ । ଦେଶରେ ପୁଣି କରୋନା ଦ୍ୱିତୀୟ ଲହର ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ପରେ ବିଶେଷ କରି ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ରଜସ୍ଥାନ ଆଦି ରାଜ୍ୟରେ କାମ କରୁଥିବା ଦାଦନମାନେ ପୁଣିଥରେ ଘର ମୁହାଁ ହୋଇଛନ୍ତି । କଳାହାହାଣ୍ଡି ଜିଲ୍ଲାକୁ ପାଖାପାଖି ୧୬ ହଜାର ପ୍ରବାସୀ ଫେରିବା ପାଇଁ ବର୍ତ୍ତମାନସୁଦ୍ଧା ନାମ ପଞ୍ଜିକରଣ କରିଥିବା କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ପ୍ରକାଶ କରିଛନ୍ତି । ସେ ପୁଣି ପ୍ରକାଶ କରିଥିଲେ ଯେ, ଜିଲ୍ଲାର ପ୍ରତ୍ୟେକ ସରକାରୀ କର୍ମଚାରୀ, ପୋଲିସ ଏବଂ ଜନସାଧାରଣ ସହଯୋଗରେ ଗତଥର କୋଭିଡ୍ ମୁକାବିଲା ସଫଳତା ସହିତ କରାଯାଇଥିଲା । ଚଳନ୍ତି ବର୍ଷ କରୋନାର ଦ୍ୱିତୀୟ ଲହର କଳାହାଣ୍ଡି ଜିଲ୍ଲାରେ ନିଶ୍ଚିନ୍ତ ଭାବେ ପ୍ରଶାସନ ସବୁପ୍ରକାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଅଛି । ଜିଲ୍ଲାରେ କୋଭିଡ୍ ପରିସ୍ଥିତି ଚିନ୍ତାଜନକ ରହିଛି । ସଂକ୍ରମଣ ହାର ଅଧିକ ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗୋଟିଏ ଏକଶହ ଶଯ୍ୟାର କୋଭିଡ୍ ହସ୍ପିଟାଲ ଏବଂ ତିନୋଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି । ଆଗାମି ଦିନରେ ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଅଧିକ ଖୋଲାଯିବା ସହିତ ଶଯ୍ୟା ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇ ମୋଟ ୧୨ ଶଷ ଶଯ୍ୟା କରାଯିବାକୁ ବ୍ୟବସ୍ଥା କରାଯାଉଛି । ପ୍ରତ୍ୟେକ ଶଯ୍ୟା ଅକ୍ସିଜେନ୍ ସହ ଉପଲବ୍ଧ ରଖାଯିବ । ଜିଲ୍ଲାରେ ପୂର୍ବରୁ ଗୋଟେ ଅକ୍ସିଜେନ୍ ଫିଲିଂ ପ୍ଲାଣ୍ଟ ରହିଛି । ଆଉ ଏକ ଅକ୍ସିଜେନ୍ ପ୍ଲାଣ୍ଟକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ । ଜିଲ୍ଲାବାସୀ କୋଭିଡ କଟକଣା ପାଳନ କରନ୍ତୁ । ମାସ୍କ ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତ୍ୱ ମାନି ଚଳନ୍ତୁ । ତେବେ ଯାଇ କରୋନା ସଂକ୍ରମଣକୁ ପ୍ରତିରୋଧ କରାଯାଇପାରିବ ବୋଲି କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ହର୍ଷଦ ପ୍ରକାଶ କରିଥିଲେ । ସେ ପୁଣି କହିଥିଲେ ଯେ, ଭବାନୀପାଟଣା ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସହରରେ କୋଭିଡ୍ ଉଲ୍ଲଘନ କରୁଥିବା ବ୍ୟକ୍ତି ବିଶେଷ ଓ ଦୋକାନୀ ଅନ୍ୟମାନଙ୍କ ବିରୋଧରେ ଏନ୍ଫୋସ୍ମେଣ୍ଟ ଦ୍ୱାରା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଏନ୍ଫୋସ୍ମେଣ୍ଟ ନିୟମିତ ଚାଲିବା ସହିତ ଯେଉଁମାନେ କୋଭିଡ୍ ନୀୟମାବଳି ଉଲ୍ଲଘନ କରୁଛନ୍ତି ଏବଂ ମାକ୍ସ ପିନ୍ଧୁ ନାହାନ୍ତି ଓ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ସେମାନଙ୍କୁ ଧରାଯାଇ ଆର୍ଥôକ ଜରିମାନା ଆଦାୟ କରାଯିବ । ଇତି ମଧ୍ୟରେ ଭବାନୀପାଟଣା ପୌରପରିଷଦର ଗୋଟିଏ ଏବଂ କେସିଙ୍ଗା ଏନ୍ଏସିରେ ୨ ଟି ଦୋକାନ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଘନ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି କେସିଙ୍ଗା, ଭବାନୀପାଟଣା, ଜୁନାଗଡ ରେଳଷ୍ଟେସନରେ ବିଭିନ୍ନ ଟ୍ରେନ୍ରେ ଆସୁଥିବା ଯାତ୍ରୀ ମାନଙ୍କୁ ଥର୍ମାଲ ସ୍କାନିଂ କରାଯିବାର ବ୍ୟବସ୍ଥା କରାଯାଇଛି । ତା ସହିତ କୋଭିଡ୍ ଟୀକାକରଣ ଜିଲ୍ଲାରେ ସୂଚାରୁରୂପେ ଚାଲୁଛି କି ନାହିଁ ଏବଂ ଘରୋଇ ନସିଂହୋମ୍ ଓ ଔଷଧ ଦୋକାନୀ ମାନେ କୋଭିଡ୍ ନୀୟମାବଳି ପାଳନ କରି କୋଭିଡ୍ ପ୍ରତିଷେଧକ ଟୀକା ଦେଉଛନ୍ତୁ ନାହିଁ ତା ଉପରେ ଫାଇଙ୍ଗ ସ୍କ୍ୱାର୍ଡ ଯାଞ୍ଚ କରୁଛନ୍ତି । ଅନ୍ୟ ପଟେ ଛତିଶଗଡ-କଳାହାଣ୍ଡି ସୀମାନ୍ତରେ ଥିବା ସିନ୍ଧିକିଲୋରୀଠାରେ ସୀମା ସିଲ କରାଯାଇ ଯାଞ୍ଚ ପ୍ରକି୍ରୟାକୁ କଡାକଡି ଭାବେ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.

4 × two =