ଜୁନାଗଡ଼ ରୋଡ – ଭୁବନେଶ୍ୱର ଏକ୍ସପ୍ରେସ ଚଳାଚଳ ପାଇଁ ଦାବି


ଭବାନୀପାଟଣା- ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ସଟ୍ଡାଉନ୍ ଯୋଗୁଁ ରେଳସେବା ଠପ୍ ହୋଇଯାଇଥିଲା । କରୋନାର ପ୍ରଭାବ ଟିକେ କମିଲାପରେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ ରେଳ ବିଭାଗ କିଛି ରେଳ ଚଳାଚଳକୁ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ଦେଶର ବୃହତ୍ତର ଜନସଂଖ୍ୟା ଓ ସେମାନଙ୍କ ଯାତାୟତର ଚାହିଦା ମେଣ୍ଟାଉଥିବା ଏକମାତ୍ର ରେଳସେବା ଆଜି ବି ସ୍ୱାଭାବିକ ହୋଇପାରିନାହିଁ । ଯାହାର ଫଳସ୍ୱରୂପ ସାଧାରଣ ଲୋକେ ଭୋଗୁଥିବା ଲକ୍ଷ୍ୟ କରାଯାଇଛି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିମାନସେବା, ବସସେବା ଓ ରେଳସେବାକୁ ସରକାର ଅନୁମତି ପ୍ରଦାନ କରିଥିବାବେଳେ ଏଥିପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ସର୍ତ୍ତ ରଖାଯାଇଛି । ତେବେ ଦେଶର ଲାଇଫଲାଇନ୍ କୁହାଯାଉଥିବା ରେଳସେବା ଏବେ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ଟ୍ରାକକୁ ଫେରିନାହିଁ । ଏହାଦ୍ୱାରା କଳାହାଣ୍ଡି ଭଳି ଜିଲ୍ଲାର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ କରୋନା କଟକଣା ଓ କମ୍ ପାସେଞ୍ଜର ଯୋଗୁଁ ଜିଲ୍ଲାରୁ ବିଭିନ୍ନ ସହର ତଥା ଜିଲ୍ଲା ବାହାରକୁ ସୀମିତ ସଂଖ୍ୟକ ବସ୍ ଚଳାଚଳ କରୁଥିବାବେଳେ ଦୁର୍ଭାଗ୍ୟକ୍ରମେ ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ବିମାନସେବାର କୌଣସି ସୁବିଧା ଉପଲବ୍ଧ ହୋଇନାହିଁ । ସେହିପରି ଜିଲ୍ଲାର ଲକ୍ଷଲକ୍ଷ ଲୋକେ ସ୍ୱାସ୍ଥ୍ୟସେବା ପାଇଁ ବ୍ରହ୍ମପୁର, କଟକ, ଭୁବନେଶ୍ୱର ଓ ବିଶାଖାପାଟଣା ଉପରେ ନିର୍ଭର କରୁଥିବାବେଳେ ହଜାରହଜାର ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା ଓ ଇଣ୍ଟରଭୁ୍ୟ ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକ ଉପରେ ନିର୍ଭର କରନ୍ତି । ସେହିପରି ଜିଲ୍ଲାର ଶହଶହ ଲୋକେ କରୋନା କଟକଣା ସତ୍ତେ୍ୱ ଅଫିସ କାର୍ଯ୍ୟ ପାଇଁ ରାଜଧାନୀ ଉପରେ ନିର୍ଭର କରୁଥିବାବେଳେ ଜିଲ୍ଲାକୁ ସଂଯୋଗ କରୁଥିବା ତଥା ଜିଲ୍ଲାର ଏକମାତ୍ର ନିର୍ଭରଯୋଗ୍ୟ ଯାତାୟତର ମାଧ୍ୟମ ଜୁନାଗଡରୋଡ-ଭୁବନେଶ୍ୱର ଏକ୍ସପ୍ରେସ୍ କରୋନା କଟକଣା ପରେ ବନ୍ଦ ରହିଛି । ଫଳରେ ଜିଲ୍ଲାର ଧର୍ମଗଡ ଉପଖଣ୍ଡ ସମେତ ଥୁଆମୂଳରାମପୁର, ଲାଞ୍ଜିଗଡ, ଭବାନୀପାଟଣା ଆଦି ଅଞ୍ଚଳର ଶହଶହ ଲୋକେ ଚିକିସôା ପାଇଁ ଜିଲ୍ଲା ବାହାରକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା ଦେବାକୁ ଯିବାବେଳେ ସମସ୍ୟା ଭୋଗୁଥିବା ଦେଖାଦେଇଛି । ଅପରପକ୍ଷରେ ଜିଲ୍ଲାର କେସିଙ୍ଗା ଦେଇ କିଛି ଟ୍ରେନ ଚଳାଚଳ କରୁଥିଲେ ହେଁ ସମଗ୍ର ଜିଲ୍ଲାବାସୀ ସେସବୁର ଲାଭ ଉଠାଇପାରୁନାହାନ୍ତି । ଏହାକୁ ନେଇ ଜିଲ୍ଲାବ୍ୟାପି ଅସନ୍ତୋଷ ଦେଖାଦେଇଥିବାବେଳେ ଅନ୍ତତଃପକ୍ଷେ ସପ୍ତାହକୁ ଦୁଇଦିନ ଜୁନାଗଡରୋଡ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ରେଳବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି । ଏ ସଂପର୍କରେ ଲାଞ୍ଜିଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ଟଙ୍କଧର ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଅାଁ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, କମର୍ଦ୍ଧ ସରପଞ୍ଚ କାନ୍ତି ପାତ୍ରଙ୍କ ସମେତ ବୁଦ୍ଧିଜୀବୀ ଓ ଜନସାଧାରଣ ଏନେଇ ଦାବି ଜଣାଇବା ସହିତ ଏହାଦ୍ୱାରା ଏହି ସଂକଟ ସମୟରେ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × four =