ହରିୟାଣା: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲଭିଜ କରୋନା ଟିକା ନେଇଥିଲେ ବେଳେ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । ଖୋଦ୍ ଅନିଲ ଭିଜ୍ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ସେ ଅମ୍ବାଲାସ୍ଥିତ ଏକ ହସ୍ପିଟାଲରେ ଭର୍ତିି ହୋଇଛନ୍ତି ।
ଭିଜ୍ ଗତ ନଭେମ୍ବର ୨୦ ତାରିଖରେ ଟିକା ନେଇଥିଲେ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ ତାଙ୍କୁ ଦିଆଯାଇଥିଲା । ସ୍ୱେଚ୍ଛାକୃତ ଭାବେ ସେ ଏହି ଟିକା ନେଇଥିଲେ । କିନ୍ତୁ ଏବେ ସେ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ପରେ ବହୁ କମ୍ପାନୀ ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । କିଛି କମ୍ପାନୀ ଟିକା ପ୍ରସ୍ତୁତ କରିସାରିଥିବା ଦାବି କରିଛନ୍ତି । କୋଭାକ୍ସିନ, ଫାଇଜର, ମୋଡେର୍ନା ଭଳି ଅନେକ ଟିକା ପ୍ରସ୍ତୁତ ହେବା ସହିତ ଏହାର ଟ୍ରାଏଲ୍ ଚାଲିଛି । ବ୍ରିଟେନ ଫାଇଜର ଟିକାକୁ ନିଜ ଦେଶରେ ଅନୁମତି ଦେଇଛି । ୨/୪ ଦିନ ପରେ ଏହି ଦେଶରେ ଲୋକଙ୍କୁ ଟିକାକରଣ କରାଯିବା । କିନ୍ତୁ ଅନିଲ୍ ଭିଜ୍ଙ୍କ ଘଟଣା ପରେ ଟିକାର ପ୍ରଭାବଶୀଳୀତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭାରତରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତମାନ ସୁଦ୍ଧା ୯୬ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ୧ ଲକ୍ଷ ୪୦ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ସୁସ୍ଥ ହାର ୯୩ ପ୍ରତିଶତରୁ ଅଧିକ ରହିଥିଲେ ହେଁ ଦେଶବାସୀ କରୋନା ଟିକାକୁ ଏକପ୍ରକାର ଚାହିଁ ରହିଛନ୍ତି । କରୋନା ପାଇଁ ଗତ ଶୁକ୍ରବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେଇ କିଛି ସପ୍ତାହ ମଧ୍ୟରେ ଟିକା ଭାରତରେ ଉପଲବ୍ଧ ହେବ ବୋଲି କହିଥିଲେ । ଫଳରେ ଦେଶବାସୀ କିଛିଟା ଆଶ୍ୱସ୍ତ ହୋଇଛନ୍ତି ।