ଦେଶରେ ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା! ଦିନକରେ ୧୦୯୫୬ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨ ।୦୬(ଏଜେନ୍ସି): ଦେଶରେ କରୋନା ଭୂତାଣୁ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ ଦେଶରେ ୧୦ ହଜାର ୯୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୩୯୬ ରୋଗୀ ପ୍ରାଣ ହରାଇଛନ୍ତି । ଏହି ନୂଆ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ନିକଟତର ହୋଇଛି । ଶୁକ୍ରବାର ସକାଳ ସାଢେ଼ ୯ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଂଚିଛି । ମୃତ୍ୟୁ ସଂଖ୍ୟା ୮୪୯୮କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଭାରତ ଏବେ ବିଶ୍ୱର ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାରେ ୪ର୍ଥ ସ୍ଥାନରେ ପହଂଚିଛି । ଗତକାଲି ଭାରତ ଷଷ୍ଠ ସ୍ଥାନରେ ଥିବାବେଳେ ଆଜି ଗୋଟିଏ ଦିନରେ ୧୦ ହଜାର ୯୫୬ରୁ ଜଣ ସଂକ୍ରମିତ ହେବା ଫଳରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ର୍ଥ ସ୍ଥାନରେ ପହଂଚିଯାଇଛି । ବର୍ତମାନ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୧୯୪ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୪୧ ହଜାର ୮୪୨ ଜଣ ଚିକିତ୍ସାଧୀନ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ କିଛିଦିନ ହେବ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି ।
ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ତେବେ ଆଜି ଆଇସିଏମଆର ପକ୍ଷରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଯାଇଛି । ଭାରତରେ ଏଯାଏ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନାହିଁ ବୋଲି ଆଇସିଏମଆର ମହାନିଦେ୍ର୍ଧଶକ ବଳରାମ ଭାର୍ଗବ କହିଛନ୍ତି ।
ଗୋଷ୍ଠୀ ସଂକ୍ରମଣ ଶବ୍ଦକୁ ନେଇ ଚାରିଆଡେ଼ ବେଶ ବିତର୍କ ଦେଖିବାକୁ ମିଳୁଛି । ମୁଁ ଭାବୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଧିଷ୍ଟ ସଂଜ୍ଞା ପ୍ରକାଶ କରିନାହିଁ । ଭାରତ ଏକ ବିଶାଳ ଦେଶ ହୋଇଥିବା ବେଳେ ଏଠାରେ ସଂକ୍ରମଣ ହାର ବେଶ କମ୍ ରହିଛି ।
ଛୋଟ ଛୋଟ ଜିଲ୍ଲାରେ କରୋନା ସଂକ୍ରମଣ ହାର ୧%ରୁ କମ୍ ରହିଛି । ସହରାଂଚଳରେ ଏହା ଟିକିଏ ଅଧିକ ରହିଛି ଓ କଂଟେନମେଂଟ ଜୋନରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଏହାର ଅର୍ଥ ଯେ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି ବୋଲି କହିବା ଭୁଲ ହେବ । ଏଯାଏ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇନାହିଁ ।
ଟେଷ୍ଟିଂ, ଟ୍ରେସିଂ, ଟ୍ରାକିଂ ଓ କ୍ୱାରେଂଟାଇନ ଦ୍ୱାରା ଆମେ କରୋନା ସଂକ୍ରମଣକୁ ଏଯାଏ ସଫଳତାର ସହ ଅଟକାଇ ପାରିଛେ । ଆଗକୁ ମଧ୍ୟ ଏହାକୁ ଗୁରୁତ୍ୱର ସହ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, “ଭାରତରେ ନିୟମିତ ଭାବେ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରାଯାଉଛି । ଜାନୁଆରୀରେ ଆମ ପାଖରେ ଗୋଟିଏ ଲ୍ୟାବ ଥିଲା । କିନ୍ତୁ ଏବେ ଏହା ୮୫୦କୁ ବୃଦ୍ଧି ପାଇଛି । ଏଯାଏ ୫୨ ଲକ୍ଷରୁ ଅଧିକ ଟେଷ୍ଟ ସରିଲାଣି । ଆଗକୁ ମଧ୍ୟ କରୋନା ଟେଷ୍ଟିଂକୁ ବୃଦ୍ଧି କରାଯିବ ।”

Leave A Reply

Your email address will not be published.

20 − nineteen =