ନୌସେନାରେ ସାମିଲ୍ ହେଲା ଏମ୍ଏଚ-୬୦ଆର

ନୂଆଦିଲ୍ଲୀ: ଦେଶର ନୌବାହିନିରେ ଆଜି ଏମ୍ଏଚ-୬୦ ଆର ଲଢ଼ୁଆ ହେଲିକାପ୍ଟର ସାମିଲ ହୋଇଛି । ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି ଏମଏଚ-୬୦ଆର ହେଲିକପ୍ଟର ଭାରତର ନୌସେନାକୁ ହସ୍ତାନ୍ତର କରିଛି । ଏହି ହେଲିକପ୍ଟର ମଲ୍ଟି ଟାସ୍କ କାମ କରିପାରିବାର ଦକ୍ଷତା ରଖିଛି । ଭାରତ ଏହି ହେଲିକପ୍ଟର ଆମେରିକା ସରକାର ପାଖରୁ କିଣିବ ବୋଲି ଚୁକ୍ତି କରିଛି । ଏହି ହେଲିକପ୍ଟରକୁ ଲକହିଡ ମାର୍ଟିନ ନାମକ କମ୍ପାନୀ ତିଆରି କରିଛି । ମୋଟ୍ ୨୪ଟି ହେଲିକପ୍ଟର ଭାରତ ୨୦ ଅରବ ଡଲାର ଦେଇ କିଣିବ ବୋଲି ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି । ଶୁକ୍ରବାର ଡିଏଗୋର ନାଭାଲ ଏୟାର ଷ୍ଟେସନ ନର୍ଥ ଆଇଜଲ୍ୟାଣ୍ଡରେ ଆମେରିକା ଏହି ଦୁଇ ହେଲିକପ୍ଟରକୁ ଭାରତକୁ ହସ୍ତାନ୍ତର କରିଛି । ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂହ ସଂଘୁ ସାମିଲ୍ ହୋଇଥିଲେ । ସଂଘୁ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି । ଏହି ମଲଟି ଟାସ୍କ ଭାରତୀୟ ନୌସେନାରେ ସାମିଲ୍ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି । ମୋଟ୍ ୨୪ଟି ହେଲିକପ୍ଟର ପାଇଁ ୨୦ ଅରବ ଡଲାରର ଚୁକ୍ତି ହୋଇଛି । ପାଣିପାଗ ଯାହା ବି ଥାଉ ନା କାହିଁକି ଏମଏଚ-୬୦ଆର ହେଲିକପ୍ଟର କାମ କରିବ । ଏହା ଆଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଛି । ଏହି ହେଲିକପ୍ଟର ଭାରତୀୟ ନୌସେନାର ତିନୋଟି ଡାଇମେନ୍ସନାଲ କ୍ଷମତାକୁ ବଢ଼ାଇବ । ଏହି ହେଲିକପ୍ଟରରେ ଅନେକ ବିଶେଷ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ରହିପାରିବ । ଏବେ ଏହି ହେଲିକପ୍ଟରକୁ ଚଳାଇବା ପାଇଁ ଭାରତର ପାଇଲଟ ମାନେ ଆମେରିକାରେ ଏହାର ପ୍ରଶିକ୍ଷଣ ନେଉଛନ୍ତି । ପର୍ଯ୍ୟାୟ କ୍ରମେ ବାକି ପାଇଲଟ ପ୍ରଶିକ୍ଷଣ ନେବେ । ପ୍ରତିରକ୍ଷା ବିଭାଗ କହିଛି ଯେ ପାଣି ଭିତରେ ଶତ୍ରୁ ରଚିଥିବା ଷଡ଼ଯନ୍ତ୍ରକୁ ପ୍ରସ୍ତାବିତ ହେଲିକପ୍ଟର ଭେଦ କରିପାରିବ । ତେଣୁ ଏହା ନୌସେନାର ଯୁଦ୍ଧ କ୍ଷମତାକୁ ଦ୍ୱିଗୁଣିତ କରିବ । ଦେଶର ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ଭାରତ ଏହି କ୍ଷମତାକୁ ଆଗାମୀ ଦିନରେ ବ୍ୟବହାର କରିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଭାରତ ସରକାର ହେଲିକପ୍ଟର କିଣିବା ପ୍ରକ୍ରିୟାକୁ ଅନୁମୋଦନ ଦେଇଥିଲେ । ଭାରତ ବିରୋଧରେ ପଡେ଼ାଶୀ ଦେଶ ଷଡ଼ଯନ୍ତ୍ରରେ ବ୍ୟସ୍ତ ଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ନିଜକୁ ଆଉ ଟିକିଏ ମଜବୁତ କରିଛି ।

Leave A Reply

Your email address will not be published.

eleven − ten =