ନୂଆଦିଲ୍ଲୀ: ଶତାଧିକ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମହାମାରୀ କରୋନା ଭାଇରସର ପବନ ଦ୍ୱାରା ବି ଜଣେ ସୁସ୍ଥ ଲୋକଙ୍କୁ ବେଶ୍ ଆରାମରେ ସଂକ୍ରମିତ କରିପାରିବ । ଯାହାର ପ୍ରମାଣ ମିଳିଛି । ତେଣୁ ବୈଜ୍ଞାନିକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହା ଉପରେ ନୂଆ ସତର୍କ ସୂଚନା ଜାରି କରିବାକୁ ଦାବି କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିଲା ଯେ କରୋନା ଭାଇରସ ସାଧାରଣତଃ ନାକ ଓ ମୁହଁରୁ ବାହାରୁ ଥିବା ଡ୍ରପଲେଟ୍ ଦ୍ୱାରା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ୩୨ଟି ଦେଶର ୨୩୯ଜଣ ବୈଜ୍ଞାନିକ ଖୋଲା ଚିଠି ଲେଖିଛନ୍ତି ଯେ ଏକ ଛୋଟିଆ ଡ୍ରପଲେଟ ଦ୍ୱାରା ମଧ୍ୟ ପବନରେ ଭାସି ଜଣେ ସୁସ୍ଥ ଲୋକ କରୋନା ଆକ୍ରାନ୍ତ ହେବାର ପ୍ରମାଣ ମିଳିଛି । କାଶ ଓ ଛିଙ୍କରୁ ବାହାରୁ ଥିବା ବିପୁଳ ପରିମାଣର ଡ୍ରପଲେଟ ହେଉ କିମ୍ବା ଅତି କ୍ଷୁଦ୍ର ଡ୍ରପଲେଟ୍ ହେଉ, ଏହା ଗୋଟିଏ ରୁମର ଲମ୍ବ ଯେତିକି ଏହା ସେତିକି ବାଟ ଯାଏ ପବନରେ ଯାଇ ବେଶ ଆରାମରେ ଜଣେ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରୁଛି । ତେଣୁ ପବନରେ ମଧ୍ୟ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛି ବୋଲି ସେମାନେ କହିଛନ୍ତି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଆମେ କିଛି ମାସ ହେଲାଣି କରୋନା ପବନ ଦ୍ୱାରା ସଂକ୍ରମିତ ହେଉଛି କି ନାହିଁ, ତା ର ତର୍ଜମା କରିଥିଲୁ । ହେଲେ ଏଯାଏ ଏନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ ।