ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ସୁପ୍ରୀମୋ ତଥା ବରିଷ୍ଠ ନେତା ଶ୍ରୀ ଶରଦ ପାୱାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଛନ୍ତି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ବି ଭେଟିଥିଲେ । ଅନ୍ୟପକ୍ଷରେ ସଦ୍ୟ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସ୍ଥାନ ନମିିଳିବା ଓ ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ସମିକରଣ କୌଣସି ସମୟରେ ବଦଳିପାରେ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ଶିବସେନାର ମୁଖପାତ୍ର ସଂଜୟ ରାୱତ କହିଥିଲେ ଯେ, ବିଜେପି ଅଛୁଆଁ ନୁହେଁ କି ବିଜେପି ସହିତ ଶିବସେନାର ଥିବା ସଂପର୍କରେ ତିକ୍ତତା ନାହିଁ । ଯଦି ମହାରାଷ୍ଟ୍ରରେ ସରକାର ଭାଙ୍ଗି ଶିବସେନା ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ କଥା ସେହି ୫୦-୫୦ରେ ଛିଡିବ ହେଲେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ଏବେ ମିଳିବ ନାହିଁ । ଯଦି ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ ଶ୍ରୀ ଫର୍ଡନଭିସ୍ ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ । ସେହିପରି ଶରଦ ପାୱାର ରାଷ୍ଟ୍ରପତି ପଦ ମୋହରେ ଶିବସେନା ଓ କଂଗ୍ରେସ ସହିତ ଥିବା ମେଣ୍ଟରୁ ବାହାରି ଆସି ପାରନ୍ତି । ଫଳରେ ଦଳ ବିଜେପି ସହିତ ରାଜ୍ୟରେ କ୍ଷମତାରେ ରହିବା ସହ ପାୱାରଙ୍କୁ ରାଷ୍ଟ୍ରପତି ପଦ ମିଳିଯିବା ବି କିଛି ଅସମ୍ଭବ ନୁହେଁ ।

Leave A Reply

Your email address will not be published.

17 + eighteen =