ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ଅବମାନନା ମାମଲାର ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ଏହି ମାମଲାର ଶୁଣାଣି କରି ଅପରାଧିକ ଅଦାଲ ଅବମାନନା ଏବଂ ନିର୍ଦ୍ଧିଷ୍ଟ ଭାବେ ଭାରତର ମୁଖ୍ୟ ବିଚାରପତିଙ୍କ ପ୍ରତି ଅପମାନ ସୂଚକ ରଖିଥିବା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ । ତେଣୁ ଆଜି ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ଦଣ୍ଡ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
ଏହି ଅପରାଧିକ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଗୁରୁବାରଦିନ ଦଣ୍ଡବିଧାନ ଘୋଷଣା କରିବାକୁ ଥିବା ବେଳେ ତାହାକୁ କିଛିଦିନ ଘୁଞ୍ଚାଇଦେବାକୁ ପ୍ରଶାନ୍ତ ଭୂଷଣ ଆବେଦନ କରିଥିଲେ । ଏହି ମାମଲାରେ ରିଭ୍ୟୁ ପିଟିସନ ବା ପୁନର୍ବିଚାର ଆବେଦନର ରାୟ ଆସିବା ପର୍ଯ୍ୟନ୍ତ ଦଣ୍ଡବିଧାନକୁ ସ୍ଥଗିତ ରଖାଯାଉ ବୋଲି ପ୍ରଶାନ୍ତ ଭୂଷଣ ନିଜର ଓକିଲଙ୍କ ମାଧ୍ୟମରେ ଆବେଦନ କରିଥିଲେ ।
ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ବେଳେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତ ଯେ, ଏହି ଆବେଦନ ଯୁକ୍ତିଯୁକ୍ତ ନୁହେଁ । କାରଣ ଦଣ୍ଡାଦେଶ ପରେ ହିଁ ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ପ୍ରଶାନ୍ତ ଭୂଷଣ କୋର୍ଟରେ ନିଜର ପକ୍ଷ ରଖି ଯୁକ୍ତି ବାଢିଥିଲେ କି ସୁପ୍ରିମକୋର୍ଟଙ୍କର ଅନ୍ୟ ଏକ ବେଞ୍ଚ ଏହି ମାମଲାରେ ଦଣ୍ଡବିଧାନର ପରିମାଣ ଉପରେ ଶୁଣାଣି କରିିବା ଉଚିତ । ମାତ୍ର ଲହାକୁ ମଧ୍ୟ ସୁପ୍ରିମକୋର୍ଟ ଗ୍ରହଣ ନକରି କହିଥିଲେ ଯେ, ଆପଣ (ପ୍ରଶାନ୍ତ ଭୂଷଣ) ଆମକୁ ଏକ ଅନୁପଯୁକ୍ତ କାର୍ଯ୍ୟ କରିବାକୁ କହୁଛନ୍ତି, ଅନ୍ୟ ଏକ ଖଣ୍ଡପୀଠ ଦଣ୍ଡବିଧାନ ଉପରେ ଶୁଣାଣି କିପରି କରିବେ ?
ଏହାପରେ ସୁପ୍ରିକୋର୍ଟ କହିଛନ୍ତି , ଯାହା ବି ଆବେଦନ ଅଛି ତାହାକୁ ଆଧାର କରି ଆମକୁ ଏକ ଆଦେଶ ଜାରି କରିବାକୁ ପଡିବ । ଆମେ ଏ ମାମଲାରେ ଚୂଡାନ୍ତ ରାୟ ସ୍ଥଗିତ ରଖ୍ôବାକୁ ପ୍ରସ୍ତାବ ଦେଉନାହୁଁ ।
ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତି ଏସ.ଏ.ବୋବଡେଙ୍କ ଉପରେ ତାଙ୍କର ଦୁଇଟି ଟ୍ୱିଟ୍ ପାଇଁ ଜଣାଶୁଣା ସାମାଜିକ କାର୍ଯ୍ୟକର୍ତା ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ନ୍ୟାୟପାଳିକା ପ୍ରତି ଆକ୍ଷେପ କରାଯାଇଥିବାରୁ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜ୍ଜୁ କରାଇଥିଲେ ।
ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ବିରୋଧରେ ତାଙ୍କ ଟ୍ୱିଟ୍ ପାଇଁ ଅପରାଧିକ ଅବମାନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ କରାଯାଇଥିବା ନ୍ୟାୟପାଳିକାର କାର୍ଯ୍ୟକାରିତାକୁ ସମାଲୋଚନା କରାଯାଇପାରିବ ନାହିଁ ବୋଲି ମତ ରଖିଛନ୍ତି ।