ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶୁକ୍ରବାର ରାତିରେ ଆଗ୍ରା ସହରରେ ଘନଘନ ବଜ୍ରପାତ ସହିତ ପ୍ରବଳ ଝଡ଼ବର୍ଷା ହୋଇଛି  । ଏଥିରେ ବିଶ୍ୱପ୍ରସିଦ୍ଧ ଐତିହାସିକ କୀର୍ତିରାଜୀ ତାଜମହଲ କ୍ଷତିଗ୍ରସ୍ତ ହୋଇଛି  । ମାର୍ବଲ ଓ ଲାଲ ବାଲୁକାପଥରରେ ନିର୍ମାଣ ହୋଇଥିବା ତାଜମହଲର ରେଲିଂର କିଛି ଅଂଶ ଖସିପଡ଼ିଥିବା ବେଳେ ମୁଖ୍ୟ କାଠ ଫାଟକ ବି ଢଳିଯାଇଛି  । ସହରରେ ପବନର ଘଂଟା ପ୍ରତି ବେଗ ୧୨୪ କିଲୋମିଟର ରହିଥିଲା  । ଏଥିଯୋଗୁ ସହରରେ ଅନେକ ଗଛ ଉପୁଡ଼ିବା ସହିତ ପାଚେରି ଭାଙ୍ଗିଯାଇଛି  । କାନ୍ଥ ଏବଂ ଗଛ ପଡ଼ିବା ଯୋଗୁ ଅନେକ କାର୍ ଭାଙ୍ଗିରୁଜି ଯାଇଛି  ।
ପ୍ରାୟ ୨୦ଟି ଘର ଭାଙ୍ଗିଥିବା ବେଳେ ଭଗ୍ନାଂଶ ତଳେ ଜଣେ ୬ ବର୍ଷର ଶିଶୁର ଜୀବନ ଯାଇଛି  । ତାଜମହଲ ପରିସରରେ ୧୦ଟି ଗଛ ଭାଙ୍ଗିଯାଇଛି  । କ୍ଷୟକ୍ଷତି ଆକଳନ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଏସଆଇର ସଂରକ୍ଷଣ ସହାୟକ ଅଙ୍କିତ ନାମଦେବ କହିଛନ୍ତି  । ତାଜମହଲ ପ୍ରଥମଥର ପାଇଁ ବଜ୍ରପାତ ଓ ଝଡ଼ବର୍ଷାରେ କ୍ଷତିଗ୍ରସ୍ତ ହୋଇନାହିଁ  । ପୂର୍ବରୁ ୨୦୧୮ ଏପ୍ରିଲ ୧୧ ଓ ମେ’ ୨ରେ ଏଭଳି ଝଡ଼ବର୍ଷା ଓ ବଜ୍ରପାତରେ ମଧ୍ୟ ତାଜମହଲରେ କ୍ଷତି ପହଂଚିଥିଲା  ।
 
			