ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ପ୍ରବଳ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି ଓ ଭାରତ ସରକାରଙ୍କୁ ତୁରନ୍ତ ଅତିରିକ୍ତ ସହାୟତା ସହ ସ୍ୱାସ୍ଥ୍ୟସେବା କର୍ମୀ ଯୋଗାଇ ଦେବା ପାଇଁ ଯୋଜନା କରିଥିବା କଥା ଶନିବାର ଦିନ ହ୍ୱାଇଟ୍ ହାଉସ୍ର ଜଣେ ମୁଖପାତ୍ରୀ କହିଛନ୍ତି । ଭାରତବାସୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବା ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଂଟୋନି ବ୍ଲିଙ୍କେନ୍ ମଧ୍ୟ ଟୁଇନ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି, ଭୟାବହ କୋଭିଡ-୧୯ ସଂକ୍ରମଣ ବାତାବରଣରେ ଥିବା ଭାରତବାସୀଙ୍କ ପ୍ରତି ଆମର ସମବେଦନା । ଭାରତ ସରକାରଙ୍କ ସହ ଥିବା ଆମର ଅଂଶୀଦାରମାନଙ୍କ ସହ ଆମେ ନିବିଡ଼ ଭାବେ କାର୍ଯ୍ୟ ଚଳାଇଛୁ । ଭାରତବାସୀ ଏବଂ ଭାରତୀୟ ସ୍ୱାସ୍ଥ୍ୟ ସେବା ନାୟକମାନଙ୍କୁ ଆମେ ଅବିଳମ୍ବେ ଅତିରିକ୍ତ ସହାୟତା ଯୋଗାଇ ଦେବୁ । ମୁଖପାତ୍ରୀଜଣକ ଆହୁରି ମଧ୍ୟ କହିଛନ୍ତି, ଆମେ ଉଚ୍ଚସ୍ତରରେ ସକ୍ରିୟ ଆଲୋଚନା ଚଳାଇଛୁ ଏବଂ ଏହି ସଦ୍ୟତମ ପ୍ରବଳ ସଂକ୍ରମଣର ମୁକାବିଲା ନିମନ୍ତେ ଭାରତ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଅବିଳମ୍ବେ ଅତିରିକ୍ତ ସହାୟତା ଏଂବ ସ୍ୱାସ୍ଥ୍ୟ ସେବା କର୍ମୀ ଯୋଗାଇ ଦେବୁ । ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଆମେ ଅଧିକ ସୂଚନା ଦେବୁ । ହ୍ୱାଇଟ୍ ହାଉସ୍ର ଜାତୀୟ ନିରାପତା ପରାମର୍ଶଦାତା, ଜେକ୍ ସଲିଭାନ୍ ମଧ୍ୟ କହିଛନ୍ତି, ଭାରତରେ କୋଭିଡ-୧୯ ଭୀଷଣ ବ୍ୟାପିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍ ଉଦ୍ବିଗ୍ନ । ସାହସର ସହ ଭାରତରେ ଏହି ମହାମାରୀର ମୁକାବିଲା କରୁଥିବା ଆମର ବନ୍ଧୁ ଏବଂ ଅଂଶୀଦାରମାନଙ୍କୁ ଅଧିକ ସାମଗ୍ରୀ ଏବଂ ସହାୟତା ଯୋଗାଇ ଦେବା ପାଇଁ ଆମେ ଅହର୍ନିଶ କର୍ଯେ୍ୟ ଚଳାଇଛୁ ।