ଭାରତ-ଚୀନ ୫ମ ପର୍ଯ୍ୟାୟ ସାମରିକ କଥାବାର୍ତ୍ତା

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ସାମରିକ ଅଧିକାରୀଙ୍କ ମଧ୍ୟରେ ରବିବାର ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ହୋଇଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାରକୁ ତ୍ବରାନ୍ବିତ କରିବା ପ୍ରସଙ୍ଗରେ ଏହି କଥାବାର୍ତ୍ତା ହୋଇଛି। ପୂର୍ବ ଲଦାଖର କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିବାବେଳେ ପାନଅଙ୍ଗ ସୋ ଓ ଗୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇନାହିଁ। ତେଣୁ ଏହି ଦୁଇ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକ ଏଲଏସି ନିକଟ ଚୀନର ମୋଲଡୋରେ ହୋଇଥିଲା। ଏଥିରେ ଭାରତ ପକ୍ଷରୁ ୧୪ କ୍ରପସ୍‌ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନେତୃତ୍ବ ନେଇଥିବାବେଳେ ଚୀନ ପକ୍ଷରୁ ଦକ୍ଷିଣ ଜିନଜିଆଙ୍ଗର କମାଣ୍ଡର ମେଜର ଜେନେରାଲ ଲିଉ ଲିନ୍ ନେତୃତ୍ବ ନେଇଥିଲେ। ବୈଠକରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ବ ଦିଆଯାଇଥିଲା। ଏପରିକି ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ପରସ୍ପରର କ୍ଷେତ୍ରକୁ ଅନୁଧ୍ୟାନ କରାଯିବା ନେଇ ଆଲୋଚନାରେ ସମ୍ମତି ପ୍ରକାଶ ପାଇଛି। ଜୁନ୍‌ ୬ରେ ସୀମା ବିବାଦକୁ ନେଇ ଭାରତ-ଚୀନ ସାମରିକ କଥାବାର୍ତ୍ତା ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ସୀମା ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ରକ୍ତାକ୍ତ ସଂଘର୍ଷ ପରେ ଦୁଇଦେଶ ବିବାଦକୁ ଆପୋଷ ଆଲୋଚନା ଉପରେ ଗୁରୁତ୍ବ ଦେବା ପୂର୍ବକ କୂଟନୈତିକ ଓ ସାମରିକ ସ୍ତରରେ କଥାବାର୍ତ୍ତା ଜାରି ରଖିଛନ୍ତି। ସାମରିକ ଓ କୂଟନୈତିକ କଥାବାର୍ତ୍ତା ସତ୍ତ୍ବେ ସୈନ୍ୟ ପ୍ରତ୍ୟାହାର ନେଇ ଚୀନର ପଦକ୍ଷେପ ବିଶ୍ବାସଯୋଗ୍ୟ ହୋଇପାରି ନାହିଁ। ଚୀନ ଗୋଟିଏ ପଟେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା କରୁଥିବାବେଳେ ଅନ୍ୟପଟେ ସୀମାରେ ସୈନ୍ୟ ଠୁଳ ଭଳି କାର୍ଯ୍ୟ ଜାରି ରଖିଛି। ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ନିକଟ ସୀମାରେ ଚୀନ ସୈନ୍ୟ ଏକ ବାଟାଲିୟନ ସୈନ୍ୟ ଠୁଳ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Leave A Reply

Your email address will not be published.

10 − 2 =