ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରର ସମସ୍ତ ଧାମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି । ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିରୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି । ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି । ନିର୍ଦ୍ଧିଷ୍ଟ ନିୟମ ଅନୁସରଣ ପୂର୍ବକ ଶ୍ରଦ୍ଧାଳୁମାନେ ଧାର୍ମିକସ୍ଥଳ ଗୁଡିକରେ ଦର୍ଶନ କରୁଛନ୍ତି । କରୋନା ମହାମାରୀ ପାଇଁ ଦୀର୍ଘ ୬ ମାସରୁ ଅଧିକ ସମୟ ଧାର୍ମିକସ୍ଥଳ ଗୁଡିକ ବନ୍ଦ ରହିଥିଲା ।
ଶିରିଡିରେ ସାଇ ବାବା ମନ୍ଦିର, ପନ୍ଦରପୁରର ଭିଠାଲ ମନ୍ଦିର, ତୁଲଜାପୁରର ତୁଲଜା ଭବାନୀ ମନ୍ଦିର ଭଳି କେତେକ ପ୍ରସିଦ୍ଧ ମନ୍ଦିର ଆଜି ସକାଳେ ଖୋଲିଛି । ସମସ୍ତ ଏସଓପି ଏବଂ କୋଭିଡ-୧୯ ନିଦେ୍ର୍ଧଶାବଳୀ ଅନୁସରଣ କରି ଭକ୍ତମାନେ ଏହି ମନ୍ଦିର ବାହାରେ ପାସ୍ ଏବଂ ପଞ୍ଜୀକରଣ ପାଇଁ ଧାଡି ଲଗାଇଛନ୍ତି । ସେହିପରି ମହିମ୍ ଚର୍ଚ୍ଚ, ମୁମ୍ବାଇରର ହାଜି ଅଲି ଦରଘା ପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍ ଥିବାରୁ ଧାର୍ମିକ ସ୍ଥଳୀଗୁଡିକ ଖୋଲାଯିବା ନିଷ୍ପତି ଯଥାର୍ଥ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି । ସମସ୍ତି ଧାର୍ମିକ ସ୍ଥଳ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେଉଛି । ମାସ୍କ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମଗୁଡିକ କଡାକଡି ଭାବେ ପାଳନ କରାଯାଉଛି । ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଘଂଟାକୁ ୯୦୦ ଭକ୍ତ ଦର୍ଶନ ଓ ଦିନକୁ ସର୍ବାଧିକ ୬୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ । ସେହିପରି ୬୫ ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ବୟସର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

Leave A Reply

Your email address will not be published.

17 − 3 =