ମୌସୁମୀ ବର୍ଷା: ୧୩ ରାଜ୍ୟରେ ବନ୍ୟା , ୭୦୦ ମୃତ

ନୂଆଦିଲ୍ଲୀ: ଚଳିତ ମୌସୁମି ଋତୁ ଗତ ବର୍ଷର ମୌସୁମୀ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ବନ୍ୟା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦେଶରେ ଏବେ ୧୩ଟି ରାଜ୍ୟ ବନ୍ୟା ପ୍ରଭାବିତ ହୋଇଛି । ଜୁଲାଇ ୨୭ ସନ୍ଧ୍ୟା ସୁଦ୍ଧା ଦେଶରେ ବନ୍ୟାଜନିତ କାରଣ ପାଇଁ ୭୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କେବଳ ଗତ ସପ୍ତାହରେ ୨୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବନ୍ୟା ପ୍ରବଣ ରାଜ୍ୟ ଗୁଡିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ବନ୍ୟା ପ୍ରଭାବିତ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୧୨୭ଟି ଏନ୍ଡିଆରଏଫ ଟିମ୍ ମୁ୍ତୟନ ହୋଇଛନ୍ତି ।
ବନ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୧୮୨ ଜଣଙ୍କ ମୃତ୍ୟୁ ହୋଇଛି । ଆସାମ ଏବଂ ବିହାରରେ ମଧ୍ୟ ଅତି ଭୟଙ୍କର ସ୍ଥିତି ଉପୁୁଜିଛି । ଏହି ୨ଟି ରାଜ୍ୟରେ ୧୧୫ରୁ ଅଧିକଙ୍କ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ ଏବଂ ମେଘାଳୟରେ ଯଥାକ୍ରମେ ୧୯ ଏବଂ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଆସାମ ଏବଂ ବିହାରରେ ୮୦ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଆସାମରେ ପ୍ରାୟ ଦେଢ ଲକ୍ଷ ଲୋକ ୫୬୦ଟି ବନ୍ୟା ରିଲିଫ୍ ଶିବିରରେ ରହିଛନ୍ତି । ତେବେ ବନ୍ୟା ଯୋଗୁଁ ପଂଜାବରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାଅନୁଯାୟୀ ସମସ୍ତ ରାଜ୍ୟ ବନ୍ୟା ସ୍ଥିତି ସମ୍ପର୍କରେ ପ୍ରତିଦିନ କେନ୍ଦ୍ରକୁ ରିପୋର୍ଟ କରିଥାନ୍ତି । ତେବେ ଗତ ସୋମବାର ଦିନ ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ କୌଣସି ରିପୋର୍ଟ ଦେଇନାହାନ୍ତି । ସେହିପରି ଅନ୍ୟ କେତେକ ରାଜ୍ୟ ମଧ୍ୟ ସଠିକ୍ ଭାବେ ବନ୍ୟା ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରୁନଥିବା ଜଣାପଡିଛି ।

Leave A Reply

Your email address will not be published.

four × 4 =