ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଚଳଚିତ୍ର ଜଗତରେ ମର୍ଯ୍ୟଦାଜନକ ଦାଦାସାହେବ ଫାଲକେ ପୁରଷ୍କାର ଚଳିତବର୍ଷ ସୁପରଷ୍ଟାର୍ ରଜନୀକାନ୍ତ ପାଇବେ । ଆଜି କେନ୍ଦ୍ର ସୂଚନା ଓ ପ୍ରଶାରଣମନ୍ତ୍ରୀ ପ୍ରକାଶ ଜାବେଦକର ଏହା ଘୋଷଣା କରୁଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅନ୍ୟତମ ମହାନ୍ ଅଭିନେତା ରଜନୀକାନ୍ତଜୀଙ୍କୁ ୨୦୧୯ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରି ଆନନ୍ଦିତ । ଜଣେ ଅଭିନେତା, ପ୍ରଯୋଜକ ଏବଂ ଚିତ୍ରନାଟ୍ୟକାର ଭାବେ ତାଙ୍କର ଅବଦାନ ବ୍ୟାପକ ସ୍ୱୀକୃତି ଲାଭ କରିଛି । ଭାରତୀୟ ଚଳଚ୍ଚିତ୍ରର ଜନକ ଧୁନ୍ଦିରାଜ୍ ଗୋବିନ୍ଦ ଫାଲକେଙ୍କ ନାମରେ ନାମିତ ଏହି ସମ୍ମାନଜନକ ପୁରସ୍କାର ୧୯୬୯ରେ ଆରମ୍ଭ ହୋଇଥିଲା । ଭାରତୀୟ ଚଳଚ୍ଚିତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଏ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଦ୍ୱାରା ଗଠିତ ‘ଡାଇରେକ୍ଟୋରେଟ୍ ଅଫ୍ ଫେଷ୍ଟିଭାଲ୍ସ୍’ ଦ୍ୱାରା ‘ଦାଦାସାହେବ ଫାଲକେ ’ ପୁରସ୍କାର ପରିଚାଳନା କରିଥାଆନ୍ତି । ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଏହା ସବୁଠୁ ସମ୍ମାନଜନକ ପୁରସ୍କାର ଭାବେ ବିବେଚନା କରାଯାଏ । ପୁରସ୍କାର ଭାବେ ୧୦ ଲକ୍ଷ ଟଙ୍କାର ନଗଦ ଅର୍ଥ ସହ ଏକ ‘ସ୍ୱର୍ଣ୍ଣ କମଳ’ (ସୁବର୍ଣ୍ଣ ପଦ୍ମ) ପ୍ରଦାନ କରାଯାଏ । ୧୯୭୫ରେ କେ ବାଲଚନ୍ଦ୍ରଙ୍କର ‘ଅପୂର୍ବ ରଗନଗଲ୍’ ନାମକ ତାମିଲ ଚଳଚ୍ଚିତ୍ରରୁ ପ୍ରଥମେ ଅଭିନୟ ଆରମ୍ଭ କରିଥିବା ଦକ୍ଷିଣ ଭାରତୀୟ ଅଭିନେତା ରଜନୀକାନ୍ତ ‘କଲିଉଡ୍’ରେ ୪୫ ବର୍ଷ କରିବା ସହ ଅଭୂତପୂର୍ବ ଜନପ୍ରିୟତା ହାସଲ କରିଛନ୍ତି । ‘ଅନ୍ଧା କାନୁନ୍’ ଗିରଫତାର ହମ୍ ‘ଜନ୍ଜାନି ଜନାର୍ଦ୍ଧନ୍’ ‘ଦୋସ୍ତି ଦୁସ୍ମନୀ’ ଭଗବାନ ଦାବୀ ଆଦି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରିଛନ୍ତି । ନିକଟ ଅତୀତରେ ସେ ଏଆର୍ ମୁରୁଗାଦୋସ୍ଙ୍କ ‘ଦରବାର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସମ୍ପ୍ରତି ରଜନୀକାନ୍ତ ‘ଅନ୍ନାତେ’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ କରୁଛନ୍ତି । ବେଙ୍ଗାଲୁରୁର ମରାଠୀ ପରିବାରରେ ଜନ୍ମିତ ରଜନୀକାନ୍ତଙ୍କ ପ୍ରକୃତ ନାମ ଶିବାଜୀରାଓ ଗାଏକ୍ୱାଡ଼ ।

Leave A Reply

Your email address will not be published.

three × two =