ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଯେଉଁ ସମସ୍ୟା ଦେଖାଦେଇଛି ସେଥିପାଇଁ ସରକାର ଜାରି କରିଥିବା କଡ଼ା ଲକ୍ଡାଉନ୍ ଦାୟୀ । ଲକ୍ଡାଉନ କରି ଅର୍ଥନୀତିକୁ ପୂର୍ବରୁ ବିଗାଡ଼ିଥିବାରୁ ଏବେ ରିହାତି ଦିଅ । ଏଭଳି କଥା କହିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତା ଋଣ ମୋରାଟୋରିୟମ ମାମଲାର ଶୁଣାଣି କରିବା ସମୟରେ ସୁପ୍ରମ କୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧ ଏଭଳି କଟୂ ଟିପ୍ପଣୀ ଦେଇଛନ୍ତି । ଋଣ ସ୍ପଷ୍ଟ କରନ୍ତୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଏଥିସହିତ ଉକ୍ତ ପ୍ରସଙ୍ଗ ଉପରେ ସରକାର କାହିଁକି ଏପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରିନାହାନ୍ତି ତାହାକୁ ନେଇ ସର୍ବୋଚ୍ଚ ଅଦାଲତ ବିରକ୍ତି ପ୍ରକାଶ କରିଛନ୍ତି । ଋଣ ମୋରାଟୋରିୟମ ଉପରେ ଅତିରିକ୍ତ ସୁଧ ଆଦାୟ ଉପରେ ତୁମର ମତ କ’ଣ ତାହା ସ୍ପଷ୍ଟ କର । ତୁମେ କହୁଛ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତି ନେଇଛନ୍ତି । ଆମେ ରିଜର୍ଭ ବ୍ୟାଙ୍କର ଉତର ପାଇବା ସହିତ ଅନୁଧ୍ୟାନ କରିସାରିଛୁ । କିନ୍ତୁ ରିଜର୍ଭ ବ୍ୟାଙ୍କ ପଛରେ କେନ୍ଦ୍ର ସରକାର ଲୁଟିପାରିବେ ନାହିଁ । ନିଜସ୍ୱ ମତ ରଖିବାକୁ ହେବ ବୋଲି ଅଦାଲତ କହିଛନ୍ତି । ବିଚାରପତି ଅଶୋକ ଭୂଷଣ, ବିଚାରପତି ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ ପଚାରିଥିଲେ ଋଣ ମୋରୋଟୋରିୟମ ମାମଲାରେ କେନ୍ଦ୍ର ସରକାର କେବେ ସୁଦ୍ଧା ସତ୍ୟପାଠ ଦାଖଲ କରିବେ? ଏ ନେଇ ଆମକୁ ସମୟସୀମା ଦିଅ । ଏହାପରେ ସଲିସିଟର ଜେନେରାଲ ସତ୍ୟପାଠ ଦାଖଲ ପାଇଁ ଏକ ସପ୍ତାହ ସମୟ ଦିଆଯାଉ ବୋଲି କହିଥିଲେ । ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଋଣ ମୋରାଟୋରିୟମ ଅବଧିକୁ ବଢ଼ାଇବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଶିବରଲଙ୍କ ଯୁକ୍ତିକୁ ସଲିସିଟର ଜେନେରାଲ ବିରୋଧ କରିଥିଲେ । ମୋରାଟୋରିୟମ ଆଇନ୍ ଅଧୀନରେ ପଦକ୍ଷେପ ନେବା ମଧ୍ୟ ସରକାରଙ୍କ ଦାୟିତ୍ୱା ସରକାର କେବଳ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିପାରିବେ ନାହିଁ ବୋଲି ବିଚାରପତି ଅଶୋକ ଭୂଷଣ କହିଛନ୍ତି । ସଲିସିଟର ଜେନେରାଲ ମୋରାଟୋରିୟମ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କର ଶପଥ ପାଠ ଦାଖଲ ବିଷୟ ସୂଚନା ଦେଇଥିଲେ ।