ସିମଲା: କେନ୍ଦ୍ର ସରକାର ହିମାଚଳ ପ୍ରଦେଶରେ ନିର୍ମାଣ ହେବାକୁ ଥିବା ୨୧୦ ମେଗାୱାଟ କ୍ଷମତା ବିଶିଷ୍ଟ ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପ ବାବଦରେ ଘୋଷଣା କରିଛନ୍ତି । ଏହି ଜଳବିଦ୍ୟୁତ ପ୍ରକଳ୍ପକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହି ୧୦ ମେଗାୱାଟ ପ୍ରକଳ୍ପ ପାଇଁ ୧୮୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ସମ୍ପୂର୍ଣ୍ଣ ହେବା ପରେ ଏହି ଜଳବିଦ୍ୟୁତ ପ୍ରକଳ୍ପରୁ ପ୍ରତି ବର୍ଷ ୭୭୫ କୋଟି ୟୁନିଟ୍ ବିଦ୍ୟୁତ ମିଳିବ । ସତଲେଜ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାହାଯ୍ୟ କରିବେ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପରୁ ଦୁଇ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ହିମାଚଳ ପ୍ରଦେଶକୁ ୧୧୪୦ କୋଟି ଟଙ୍କାର ମାଗଣା ବିଦ୍ୟୁତ ମିଳିବ । ଏହି ପ୍ରକଳ୍ପ ପାଇଁ ଯେଉଁମାନେ ଜମି ହରାଇବେ ସେମାନଙ୍କୁ ୧୦ ବର୍ଷ ପାଇଁ ପ୍ରତି ମାସରେ ୧୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ଯୋଗାଇଦିଆଯିବ । ସତଲେଜ ଜଳ ବିଦ୍ୟୁତ ନିଗମ ଲିମିଟେଡ ଏହି ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ଥିବାବେଳେ ୬୨ ମାସ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି ।