ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବେ ୯ ଜଣ ପାଇବେ ନିଯୁକ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ଜଣ ନୂତନ ବିଚାରପତି ନିଯୁକ୍ତ ହେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ସୁପାରିଶ କରିଥିବା ସମସ୍ତ ୯ ଜଣଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଫଳରେ ଉକ୍ତ ୯ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବା ପଥ ପରିଷ୍କାର ହୋଇଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଥିବା ୯ ଜଣଙ୍କ ନାମ ଅନୁମୋଦନ ଲାଭ କରିବା ପରେ ତାହାକୁ ପରବର୍ତ୍ତୀ ଆନୁଷଙ୍ଗିକ କାର୍ଯ୍ୟ ଚୂଡାନ୍ତ କରି ନିଯୁକ୍ତି ପତ୍ର ଜାରି କରିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରେ ତିନିଜଣ ମହିଳାଙ୍କ ନାମ ରହିଛି । ସବୁକିଛି ଧାର୍ଯ୍ୟ ସମୟରେ ଚାଲିଲେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ୯ ଜଣ ନୂତନ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ । ସଂପ୍ରତି ସୁପ୍ରିମ କୋର୍ଟରେ ଦଶଟି ବିଚାରପତି ପଦ ଖାଲି ପଡିଛି ଏବଂ ୨୪ ଜଣ ବିଚାରପତିଙ୍କୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କାର୍ଯ୍ୟ କରୁଛି । ଏକ ସମୟରେ ୯ ଜଣ ବିଚାରପତିଙ୍କ ନାମକୁ ସରକାର ଅନୁମୋଦନ କରିବା ଦେଶର ନ୍ୟାୟପାଳିକା ଇତିହାସରେ ଅଭୂତପୂର୍ବ ବୋଲି କୁହାଯାଉଛି । ଏହି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୮ ଜଣ ବିଚାରପତି ଏବଂ ଜଣେ ବରିଷ୍ଠ ଆଇନଜୀବୀ ଏବଂ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ପି ଏସ ନରସିଂହାଙ୍କ ନାମ ରହିଛି । ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ବାର ରୁ ସିଧାସଳଖ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯିବ, ଯାହା ଇତିହାସରେ ପ୍ରଥମ ।

Leave A Reply

Your email address will not be published.

one × 4 =