ମୁମ୍ବାଇ: ୫୦୦ ଟଙ୍କିଆ ନୋଟ୍ର ବ୍ୟାପକ ପ୍ରସାରଣ ହୋଇଥିଲେ ବି, ୨୦୨୦ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ହ୍ରାସ ପାଇଥିବା କଥା ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଆଦୌ ୨୦୦୦ ଟଙ୍କିଆ ନୋଟ୍ ଛାପା ହୋଇ ନ ଥିବା ବେଳେ ୧୨୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଛାପା ହୋଇଛି । ୨୦୧୮-୧୯ ବର୍ଷରେ ରିଜର୍ଭ ବ୍ୟାଙ୍କ ୫ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛାପି ଥିଲା । ୬,୫୮, ୧୯୯ କୋଟି ଟଙ୍କା ବ୍ୟୟରେ ମୁଦ୍ରିତ ୩୨, ୯୧୦ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ୨୦୧୯ ମାର୍ଚ୍ଚ ସୁଦ୍ଧା ପ୍ରସାରିତ ହେଉଥିଲା । କିନ୍ତୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୨୦୦୦ ଟଙ୍କିଆ ସଂଖ୍ୟା ୨୭, ୩୯୮ ଲକ୍ଷକୁ ହ୍ରାସ ପାଇଲା ଓ ମୂଲ୍ୟ ମଧ୍ୟ ୫୪୭, ୯୫୨ କୋଟିକୁ ହ୍ରାସ ପାଇଲା । ୨୦୧୮ରେ ୩୭.୩% ଏବଂ ୨୦୧୯ରେ ୩୧.୨% ଥିବା ୨୦୦୦ ଟଙ୍କିଆ ନୋଟ୍ ସମୁଦାୟ ମୂଲ୍ୟ ସମ୍ପ୍ରତି ମାତ୍ର ୨୨.୬% ରହିଛି । ଅନ୍ୟ ପକ୍ଷରେ, ୫୦୦ ଟଙ୍କିଆ ନୋଟ୍ ମାର୍ଚ୍ଚ ୨୦୨୦ରେ ୧୪.୭୨ ଲକ୍ଷ କୋଟିରେ ପହଂଚିଛି । ୨୧୫, ୧୭୬ ଥିବା ୫୦୦ ଟଙ୍କିଆ ନୋଟ୍ ସଂଖ୍ୟା ମଧ୍ୟ ୨୦୧୯ରେ ୨୯୪,୪୭୫କୁ ବୃଦ୍ଧି ବୃଦ୍ଧି ପାଇଛି । ଅର୍ଥାତ ଭାରତରେ ଥିବା ବ୍ୟାଙ୍କ ନୋଟ୍ଗୁଡ଼ିକର ସମୁଦାୟ ମୂଲ୍ୟର ୬୦.୫% ହେଉଛି ୫୦୦ ଟଙ୍କିଆ ନୋଟ୍ ।