ଏପ୍ରିଲରେ ସତ୍କାର ହୋଇଛି ୨୫୦୦ ମୃତଦେହ

ମଧ୍ୟପ୍ରଦେଶ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କିନ୍ତୁ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। କେବଳ ଭୋପାଳର ଗତ ଏପ୍ରିଲ ମାସର ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମାସକ ମଧ୍ୟରେ ରାଜ୍ୟରେ ଭୋପାଳରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ନଥିରେ ଦର୍ଶାଯାଇଛି। କିନ୍ତୁ ଶ୍ମଶାନଘାଟ ଏବଂ କବରସ୍ତାନର ତଥ୍ୟ ଭିନ୍ନ କଥା କହୁଛି। ଭୋପାଳର ବିଭିନ୍ନ ଶ୍ମଶାନଘାଟ ଏବଂ କବରସ୍ତାନରେ ଏପ୍ରିଲ ମାସରେ ୨୫୦୦ରୁ ଅଧିକ ମୃତଦେହ ସତ୍କାର ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାର ଲାଗି ଭୋପାଳ ଜିଲାରେ ୩ଟି ଶ୍ମଶାନଘାଟ ଏବଂ ଗୋଟିଏ କବରସ୍ତାନ ରହିଛି। ଏଠାରୁ ମିଳିଥିବା ତଥ୍ୟ ଅନୁସାରେ, ଏପ୍ରିଲ ୧ରୁ ୩୦ ତାରିଖ ମଧ୍ୟରେ ୧୦୯ କୋଭିଡ ମୃତକଙ୍କ ବ୍ୟତୀତ ୨୫୬୭ ମୃତଦେହକୁ କୋଭିଡ ପ୍ରୋଟୋକଲ ଅଧୀନରେ ସତ୍କାର କରାଯାଇଛି। ଏହି ୪ ସ୍ଥାନର କର୍ମଚାରୀଙ୍କ କହିବା ଅନୁସାରେ ଏହି ସମୟ ମଧ୍ୟରେ ୧୨୭୩ ଅଣକରୋନା ରୋଗୀଙ୍କ ମୃତଦେହ ସତ୍କାର କରାଯାଇଛି। ସୂଚନା ଅନୁସାରେ, ଭୋପାଳରେ ୬ଟି ଶ୍ମଶାନଘାଟ ଏବଂ ୪ଟି କବରସ୍ତାନ ରହିଛି। ଯେଉଁଥିରୁ ୩ଟି ଶ୍ମଶାନଘାଟ ଏବଂ ଗୋଟିଏ କବରସ୍ତାନକୁ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତଥାପି ଯେଉଁ ମାତ୍ରାରେ ପ୍ରତିଦିନ ମୃତହେଦ ସତ୍କାର ପାଇଁ ଆସୁଛି ତାହାକୁ ସୁରୁଖୁରୁରେ ପରିଚାଳନା କରିବା କଷ୍ଟକର ହେଉଛି ବୋଲି ଦାୟିତ୍ଵରେ ଥିବା ଅଧିକାରୀ ଏବଂ କର୍ମଚାରୀ କହିଛନ୍ତି।

Leave A Reply

Your email address will not be published.

one × one =