ଏହି ଶାଢ଼ୀ ପିନ୍ଧିଲେ ହେବ ନାହିଁ କରୋନା

ଭୋପାଳ: କୋଭିଡ଼-୧୯ ବିରୋଧରେ ବିଜୟୀ ହେବା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଆୟୁଷ କାଢ଼ା ସହିତ ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାମଗ୍ରୀ (ଇମ୍ୟୁନିଟି ବୁଷ୍ଟର) ବଜାରରେ ଉପଲବ୍ଧ ହେଉଛି । ମାତ୍ର ମଧ୍ୟପ୍ରଦେଶରେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଏକ ବିକଳ୍ପ ବ୍ୟବସ୍ଥା ବଜାରକୁ ଆସିଛି । ଶୁଣିବାକୁ ଟିକିଏ ଅଡ଼ୁଆ ଲାଗିଲେ ମଧ୍ୟ କଥାଟି ସତ, ଏହା ହେଉଛି ଇମ୍ୟୁନିଟି ବୃଦ୍ଧି ଶାଢ଼ୀ। କୁହାଯାଉଛି ଏହି ଶାଢ଼ୀ ପିନ୍ଧିଲେ କରୋନା ହେବ ନାହିଁ ।

କରୋନା ଦୂର ନିମନ୍ତେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଏହି ଶାଢ଼ୀ ସହାୟକ ହେବ ବୋଲି ଶାଢ଼ୀ ପ୍ରସ୍ତୁତ କରିଥିବା ସଂସ୍ଥା ଦାବି କରିଛି । ତେବେ କମ୍ପାନୀର ଏହି ଦାବିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇନାହିଁ । ଉତ୍ତରପ୍ରଦେଶରେ କରୋନାରୁ ରକ୍ଷା ପାଇବା ନିମନ୍ତେ ଇମ୍ୟୁନିଟି ବୁଷ୍ଟର କାର୍ଡ଼ ଆରମ୍ଭ କରାଯାଇଛି । ମଧ୍ୟପ୍ରଦେଶରେ କରୋନାରୁ ରକ୍ଷା ନିମନ୍ତେ ହର୍ବାଲ ଶାଢ଼ୀ ଓ ଇମ୍ୟୁନିଟି ବୁଷ୍ଟର ଶାଢ଼ୀ ବିକ୍ରି ଆରମ୍ଭ ହୋଇଛି । ଏହାକୁ ଆୟୁର୍ବସ୍ତ୍ର ନାମ ଦିଆଯାଇଛି । ଏହି ଶାଢ଼ୀ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରାଯାଇଥିବା କୁହାଯାଉଛି । ତେଜପତ୍ର, ଲବଙ୍ଗ, ଅଳେଇଚ, ଚକ୍ରଫୁଲ , ଜାଇତ୍ରୀ, ଡ଼ାଲଚିନି, ଗୋଲମରିଚ, ଜିରା, ଗୁଜରାତି ଆଦି ମସଲାକୁ ଏଥିରେ ଉପଯୋଗ କରାଯାଇଛି। ଏହି ଶାଢ଼ୀକୁ ୨ ମାସ ପରୀକ୍ଷା ପରେ ବିକ୍ରି ପାଇଁ ବଜାରକୁ ଛଡ଼ାଯାଇଛି ।

ସୂଚନା ଅନୁସାରେ ଏହି ସବୁ ମସଲାକୁ ଗୁଣ୍ଡ କରାଯାଇ ତାହାକୁ ୪୮ ଘଣ୍ଟା ସିଝା ଯାଉଛି । ଏହାପରେ ପ୍ରସ୍ତୁତ ଶାଢ଼ୀରେ ମସଲାର ବାମ୍ଫ ଦିଆଯାଉଛି । ଶାଢ଼ୀକୁ ଔଷଧଯୁକ୍ତ କରିବା ପାଇଁ ଅନ୍ୟୁନ ୫ରୁ ୬ ଦିନ ଲାଗୁଛି ଏବଂ ଏଥିପାଇଁ ବହୁ ସତର୍କତା ଅବଲମ୍ବନ କରାଯାଉଛି । ଏହି ଶାଢ଼ୀ ପିନ୍ଧିଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଦାବି କରାଯାଇଛି । ତେବେ ଚିରଦିନ ଏହି ଶାଢ଼ୀରେ ରୋଗପ୍ରତିରୋଧକ ଶକ୍ତି ରହିବ ନାହିଁ, ମସଲାଯୁକ୍ତ ଏହି ଶାଢ଼ୀଟି ୫/୬ଥର ଧୂଆଯିବା ପରେ ତାହାର ଔଷଧୀୟ ଗୁଣ ନଷ୍ଟ ହୋଇଯିବ । ତେଣୁ କମ୍ ରାସାୟନିକ ସାମଗ୍ରୀଯୁକ୍ତ ପାଉଡ଼ରରେ ଶାଢ଼ୀ ଧୋଇବାକୁ ପରାମର୍ଶ ଦିଆଯାଇଛି ।ମୂଲ୍ୟ ୩ରୁ ୫ ହଜାର ପର୍ଯ୍ୟନ୍ତ: ଚନ୍ଦେରୀ ଶାଢ଼ୀ ଉପରେ ଔଷଧୀୟ ପ୍ରୟୋଗ ପରେ ବିକ୍ରି ହେଉଥିବା ଆୟୁର୍ବସ୍ତ୍ରର ମୂଲ୍ୟ ୩ ହଜାରରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ । ଏହି ଶାଢ଼ୀ କେବଳ ଭୋପାଳ ଓ ଇନ୍ଦୋରର ମୃଗନୟନୀ ଷ୍ଟୋରରେ ଉପଲବ୍ଧ । ମାତ୍ର ଏହା ଖୁବ୍ ଶୀଘ୍ର ଦେଶର ଅନ୍ୟ ଷ୍ଟୋରରେ ବିକ୍ରି ନିମନ୍ତେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

fourteen + 13 =