ଦୌଲତ ବେଗ୍‌ ଓଲ୍ଡିରେ ଭାରତ-ଚୀନ ୬ଷ୍ଠ କମାଣ୍ଡର ସ୍ତରୀୟ ବୈଠକ ଜାରି

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଦୁଇ ଦେଶ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଲଦାଖର ଦୌଲତ ବେଗ୍‌ ଓଲ୍ଡି(ଡିବିଓ)ଠାରେ ଅପରାହ୍ନ ୧ଟାରୁ ବୈଠକ ଜାରି ରହିଛି। ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା)ରୁ ଦୁଇ ଦେଶ ନିଜର ସୈନ୍ୟଙ୍କୁ ହଟାଇବା ଲାଗି ଆଲୋଚନା ହେଉଛି। ତେବେ ଏହି ବୈଠକରେ ଡେପସାଙ୍ଗ ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ଦିଗରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ଡେପସାଙ୍ଗର ଅପରପାର୍ଶ୍ଵରେ ଚୀନ ସେନା ପ୍ରାୟ ୧୫ ହଜାର ସୈନିକଙ୍କୁ ମୁତୟନ କରିଛି। ସେହିପରି ଭାରତ ମଧ୍ୟ ବହୁ ସଂଖ୍ୟା ସୈନ୍ୟ ଠୁଳ କରିଛି। ଶନିବାର ଚାଲିଥିବା ବୈଠକରେ ଭାରତ ପକ୍ଷରୁ ୩ ମାଉଣ୍ଟେନ ଡିଭିଜନର କମାଣ୍ଡିଂ ଜେନେରାଲ ଅଫିସର ମେଜର ଜେନେରାଲ ଅଭିଜିତ ବାପଟ ପ୍ରତିନିଧିମଣ୍ଡଳର ନେତୃତ୍ଵ ନେଉଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଭାରତ ଓ ଚୀନ ମଧ୍ୟରେ ୫ ସେନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ୧୧ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ଭାରତ ପକ୍ଷରୁ ଚୀନକୁ ଏଲଏସିର ସମସ୍ତ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ କୁହାଯାଇଥିଲା।

Leave A Reply

Your email address will not be published.

fifteen − six =